ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଫେବ୍ରୁଆରି ୨୮ରୁ ଆରମ୍ଭ ହୋଇଥିବା ସଂଘର୍ଷ ପରଠାରୁ ଏପର୍ଯ୍ୟନ୍ତ ୧୩ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଥିବାବେଳେ ୩ ଜଣଙ୍କର ଏପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିନାହିଁ। ଏହି ସୂଚନା ଭାରତ ସରକାର ପକ୍ଷରୁ ଦିଆଯାଇଛି। ଅଞ୍ଚଳରେ ବଢ଼ୁଥିବା ସାମରିକ ତିକ୍ତତା ଓ ସାମୁଦ୍ରିକ ସୁରକ୍ଷା ସଙ୍କଟକୁ ଭାରତ ସରକାର ଗମ୍ଭୀରତାର ସହ ନଜରରେ ରଖିଥିବା ଜଣାଇଛି।

‘ଅପରେସନ୍ ଏପିକ୍ ଫ୍ୟୁରି’ ଅଧୀନରେ ଆମେରିକା ଇରାନ ବିରୋଧରେ ସାମରିକ ଅଭିଯାନ ଆରମ୍ଭ କରିବା ପରେ ଇରାନ ପକ୍ଷରୁ ମଧ୍ୟ ପାଲଟା ପଦକ୍ଷେପ ନିଆଯାଇଥିଲା। ଫଳରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ଆହୁରି ବଢ଼ିଯାଇଛି। ବିଶେଷକରି ହର୍ମୁଜ ପ୍ରଣାଳୀରେ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣ ଯୋଗୁ ଅନେକ ନାବିକ ପ୍ରଭାବିତ ହୋଇଥିବା ସହ କିଛି ଜଣ ପ୍ରାଣ ମଧ୍ୟ ହରାଇଛନ୍ତି।

ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ ବିଦେଶ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୈସ୍ୱାଲ କହିଛନ୍ତି ଯେ, ମଧ୍ୟପ୍ରାଚ୍ୟର ସାମ୍ପ୍ରତିକ ପରିସ୍ଥିତିକୁ ଭାରତ ସରକାର ନିରନ୍ତର ଭାବେ ସମୀକ୍ଷା କରୁଛନ୍ତି। ସମ୍ପ୍ରତି ଦୁଇଟି ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣକୁ ନେଇ ଭାରତ ଗଭୀର ଉଦ୍ବେଗ ପ୍ରକାଶ କରିଛି।

ସେ କହିଛନ୍ତି, ଏହି ଆକ୍ରମଣଗୁଡ଼ିକ ମଧ୍ୟରୁ ଗୋଟିଏ ଘଟଣାରେ ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟିଛି। ପ୍ରଭାବିତ ଭାରତୀୟ ନାଗରିକଙ୍କ ସୁରକ୍ଷା ଓ ସହାୟତା ପାଇଁ ଭାରତୀୟ ଦୂତାବାସ ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ଯୋଗାଯୋଗ ଜାରି ରହିଛି ବୋଲି ବିଦେଶ ମନ୍ତ୍ରାଳୟ ସ୍ପଷ୍ଟ କରିଛି।