ୱାସିଂଟନ: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ତିକ୍ତତା ପୁଣିଥରେ ସାମରିକ ସଂଘର୍ଷକୁ ନୂଆ ମୋଡ଼ ଦେଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁକ୍ତରାଷ୍ଟ୍ର କଂଗ୍ରେସକୁ ଆନୁଷ୍ଠାନିକ ଭାବେ ଅବଗତ କରାଇ କହିଛନ୍ତି ଯେ, ଇରାନକୁ କେନ୍ଦ୍ର କରି ଆମେରିକାର ସାମରିକ ଅଭିଯାନ ପୁନର୍ବାର ସକ୍ରିୟ ହୋଇଛି। ଏହା ସହ ‘ୱାର ପାୱାର୍ସ ରେଜୋଲ୍ୟୁସନ୍’ ଅନୁଯାୟୀ ସୀମିତ ସମୟ ପାଇଁ କଂଗ୍ରେସର ପୂର୍ବ ଅନୁମୋଦନ ବିନା ସାମରିକ ପଦକ୍ଷେପ ଜାରି ରଖିବାର ସାମ୍ବିଧାନିକ ବ୍ୟବସ୍ଥା ମଧ୍ୟ କାର୍ଯ୍ୟକାରୀ ହୋଇଛି।

ହର୍ମୁଜ ପ୍ରଣାଳୀରେ ବାଣିଜ୍ୟିକ ଜାହାଜ ଏବଂ ତୈଳ ଟ୍ୟାଙ୍କରର ସୁରକ୍ଷାକୁ କେନ୍ଦ୍ର କରି ଦୁଇ ଦେଶ ମଧ୍ୟରେ ବିବାଦ ତୀବ୍ର ହୋଇଥିବା ପରେ ଆମେରିକା ପକ୍ଷରୁ ସାମରିକ କାର୍ଯ୍ୟକଳାପ ବଢ଼ାଯାଇଛି। ଜୁଲାଇ ୭ରୁ ଇରାନର ରାଜଧାନୀ ତେହେରାନ ସମେତ ଅନେକ ସାମରିକ ସ୍ଥାପନାକୁ ଲକ୍ଷ୍ୟ କରି ବିମାନ ଓ କ୍ଷେପଣାସ୍ତ୍ର ଆକ୍ରମଣ ଜାରି ରହିଥିବା ଜଣାପଡ଼ିଛି।

କଂଗ୍ରେସ ସଦସ୍ୟମାନଙ୍କୁ ପଠାଯାଇଥିବା ପତ୍ରରେ ଟ୍ରମ୍ପ କହିଛନ୍ତି, ବିଦେଶରେ ଥିବା ଆମେରିକୀୟ ନାଗରିକ ଓ ଦେଶର ଜାତୀୟ ସ୍ୱାର୍ଥର ସୁରକ୍ଷା ପାଇଁ ଏହି ସାମରିକ ପଦକ୍ଷେପ ଆବଶ୍ୟକ। ତାଙ୍କ ଅଭିଯୋଗ ଅନୁଯାୟୀ, ଗତ ମାସରେ ହୋଇଥିବା ଅସ୍ତ୍ରବିରତି ଓ ସାମୁଦ୍ରିକ ସୁରକ୍ଷା ସମ୍ପର୍କିତ ବୁଝାମଣା ସତ୍ତ୍ୱେ ବାଣିଜ୍ୟିକ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ ଘଟିଛି, ଯାହା ସେହି ସମଝୌତାର ଉଲ୍ଲଂଘନ ବୋଲି ଆମେରିକା ଦାବି କରିଛି।

ଏହି ପରିସ୍ଥିତିରେ ପୂର୍ବରୁ ହୋଇଥିବା ଅସ୍ତ୍ରବିରତି ବ୍ୟବସ୍ଥା ପ୍ରାୟ ଅକାର୍ଯ୍ୟକର ହୋଇଯାଇଥିବାବେଳେ ଆମେରିକୀୟ ସଶସ୍ତ୍ର ବାହିନୀ ଯେକୌଣସି ସମ୍ଭାବ୍ୟ ଆକ୍ରମଣର ମୁକାବିଲା ପାଇଁ ପ୍ରସ୍ତୁତ ଥିବା ଟ୍ରମ୍ପ ସ୍ପଷ୍ଟ କରିଛନ୍ତି।

ଅନ୍ୟପକ୍ଷରେ, ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ୍ (ଆଇଆର୍‌ଜିସି) ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଜାହାଜଗୁଡ଼ିକ ପାଇଁ ନୂଆ ନିୟମ ଘୋଷଣା କରିଥିବାବେଳେ ଆମେରିକା ଏହାକୁ ମାନିବାକୁ ଅସ୍ୱୀକାର କରିଛି। ଏହି ଘଟଣା ବିଶ୍ୱ ଉର୍ଜା ବଜାର ଉପରେ ପ୍ରଭାବ ପକାଇବା ଆଶଙ୍କା ସୃଷ୍ଟି କରିଛି। ବିଶେଷକରି ତୈଳ ଓ ଗ୍ୟାସ୍ ଦର ବୃଦ୍ଧି ପାଇଲେ ତାହାର ରାଜନୈତିକ ପ୍ରଭାବ ଆଗାମୀ ଆମେରିକୀୟ ନିର୍ବାଚନରେ ମଧ୍ୟ ପଡ଼ିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।