ଭୁବନେଶ୍ୱର: ରାଜ୍ୟରେ ବର୍ଷାର ପରିମାଣ ଆହୁରି ବଢ଼ିବାକୁ ଯାଉଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସମେତ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ନୂତନ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (IMD) ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଏହି ଅଞ୍ଚଳରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ସକାଳ ୫:୩୦ ସମୟରେ ଏହି ଲଘୁଚାପ କ୍ଷେତ୍ରଟି ସୃଷ୍ଟି ହୋଇଛି। ବର୍ତ୍ତମାନ ଏହା ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ସଂଲଗ୍ନ ସମୁଦ୍ର ମଧ୍ୟରେ ସକ୍ରିୟ ରହିଛି।
ଲଘୁଚାପ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ସ୍ଥିତିକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ଆଜି ପାଇଁ ୩ଟି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି: ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର। ଏହି ଜିଲ୍ଲାଗୁଡ଼ିକର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଏବଂ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅତି ଗମ୍ଭୀର ବୃଷ୍ଟିପାତ ହେବାର ସମ୍ଭାବନା ରହିଛି।୧୦ ଜିଲ୍ଲାକୁ ଅରେଞ୍ଜ ଓ ୭ ଜିଲ୍ଲାକୁ ୟେଲୋ ଆଲର୍ଟ।
ଅରେଞ୍ଜ ଆଲର୍ଟ: ବାଲେଶ୍ୱର, ଯାଜପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଠାରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।
ୟେଲୋ ଆଲର୍ଟ: ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ ଏବଂ ରାୟଗଡ଼ା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏହି ଜିଲ୍ଲାଗୁଡ଼ିକୁ ସତର୍କ ସୂଚନା ଦିଆଯାଇଛି।
ସତର୍କତା: ଉପକୂଳ ଓଡ଼ିଶାର ବାସିନ୍ଦାମାନଙ୍କୁ ପାଣିପାଗର ସଦ୍ୟତମ ସୂଚନା ଉପରେ ନଜର ରଖିବାକୁ ଏବଂ ପ୍ରବଳ ବର୍ଷା ଜନିତ ଜଳବନ୍ଦୀ ସମସ୍ୟା ପ୍ରତି ସଜାଗ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ସମୁଦ୍ର ଅଶାନ୍ତ ରହିବା ସହ ଉପକୂଳ ଅଞ୍ଚଳରେ ପବନର ବେଗ ବଢ଼ିପାରେ, ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ କୁହାଯାଇଛି।




