ବାରିପଦା: ଆଧୁନିକ ପ୍ରଯୁକ୍ତିବିଦ୍ୟା ଶିକାରୀଙ୍କ ପାଇଁ କାଳ ସାଜିଛି। ଶିମିଳିପାଳ ଅଭୟାରଣ୍ୟରେ ସୁରକ୍ଷା ପାଇଁ ଲାଗିଥିବା ଏଆଇ ବା କୃତ୍ରିମ ବୁଦ୍ଧିମତା ସମ୍ପନ୍ନ ସିସିଟିଭି କ୍ୟାମେରା ବଳରେ ଏକ ବଡ଼ ସଫଳତା ପାଇଛି ବନ ବିଭାଗ। ଅଭୟାରଣ୍ୟ ମଧ୍ୟକୁ ବେଆଇନ ଭାବେ ପ୍ରବେଶ କରି ଶିକାର କରୁଥିବା ୩ ଜଣ ଅଭିଯୁକ୍ତ ଶିକାରୀଙ୍କୁ ଗିରଫ କରିଛି ଦକ୍ଷିଣ ବନ୍ୟପ୍ରାଣୀ ଡିଭିଜନ।ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ତାରାଯୋଡ଼ି ଗାଁର ମହାଦେବ ସିଂ ଏବଂ ଝିନେଇ ଗାଁର ସୁନାରାମ ସିଂ ଓ ଗୋରା ସିଂ। ବନ ବିଭାଗ ଏମାନଙ୍କ ନିକଟରୁ ୪ଟି ଦେଶୀ ବନ୍ଧୁକ ଏବଂ ଏକ ଚିତ୍ରା ହରିଣର ଶିଙ୍ଗ ଜବତ କରିଛି।
ବନ ବିଭାଗର ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ମାରଣାସ୍ତ୍ର ଧରି ଶିମିଳିପାଳ ଜଙ୍ଗଲ ଭିତରେ ବୁଲୁଥିବା ସମୟରେ ସେଠାରେ ଲାଗିଥିବା ସ୍ମାର୍ଟ ଏଆଇ କ୍ୟାମେରାରେ ସେମାନଙ୍କ ଗତିବିଧି କଏଦ ହୋଇଯାଇଥିଲା। କ୍ୟାମେରାରୁ ଆଲର୍ଟ ମିଳିବା ମାତ୍ରେ ବନ ବିଭାଗର ଏସଟିଏଫ୍ ଏବଂ ସ୍ପେଶାଲ ସ୍କ୍ୱାଡ୍ ତୁରନ୍ତ ଚଢ଼ାଉ କରି ଜଙ୍ଗଲ ଭିତରୁ ୩ ଜଣଙ୍କୁ କାବୁ କରିଥିଲେ।ଗିରଫ ପରେ ଅଭିଯୁକ୍ତମାନଙ୍କୁ ଡାକ୍ତରୀ ମାଇନା କରାଯାଇ କୋର୍ଟ ଚାଲାଣ କରାଯାଇଥିଲା।
କୋର୍ଟରେ ସେମାନଙ୍କ ଜାମିନ ଆବେଦନ ନାମଞ୍ଜୁର ହେବା ପରେ ସମସ୍ତଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ତେବେ ଏହି ଶିକାରୀ ଦଳରେ ସାମିଲ ଥିବା ଆଉ ଜଣେ ଅଭିଯୁକ୍ତ ବର୍ତ୍ତମାନ ଫେରାର ଅଛନ୍ତି। ତାଙ୍କୁ ଗିରଫ କରିବା ପାଇଁ ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଜୋରଦାର ଚଢ଼ାଉ ଜାରି ରହିଛି।
ଶିମିଳିପାଳର ସୁରକ୍ଷା ପାଇଁ ଏଆଇ କ୍ୟାମେରା ବ୍ୟବସ୍ଥା ବେଶ ଉପଯୋଗୀ ସାବ୍ୟସ୍ତ ହେଉଛି। ଜଙ୍ଗଲ ଭିତରକୁ ବେଆଇନ ଭାବେ ପ୍ରବେଶ କଲେ କିମ୍ବା ବନ୍ୟଜନ୍ତୁ ଶିକାର କରିବାକୁ ଚେଷ୍ଟା କଲେ କାହାରିକୁ ଛଡ଼ାଯିବ ନାହିଁ ଏବଂ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବନ ଅଧିକାରୀ ସୂଚନା ଦେଇଛନ୍ତି।




