ୱାଶିଂଟନ/ଢାକା: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସାମରିକ ତିକ୍ତତା ଏବେ ଚରମ ସୀମାରେ ପହଞ୍ଚିଛି। ଇରାନ ବନ୍ଦର ଉପରେ ଲାଗିଥିବା ଆମେରିକାର ନୌସେନା ଅବରୋଧ କୁ ଉଲ୍ଲଂଘନ କରିବାକୁ ଚେଷ୍ଟା କରୁଥିବା ଏକ ବାଣିଜ୍ୟିକ ତେଲ ଟାଙ୍କର ଉପରକୁ ଆମେରିକୀୟ ସେନା ମିସାଇଲ ମାଡ଼ କରି ଏହାକୁ ଅଚଳ କରିଦେଇଛି। ଆମେରିକାର ସେଣ୍ଟ୍ରାଲ କମାଣ୍ଡ (CENTCOM) ପକ୍ଷରୁ ସୋସିଆଲ ମିଡିଆରେ ଏହି ସୂଚନା ଦିଆଯାଇଛି।
କମାଣ୍ଡର ସୂଚନା ଅନୁଯାୟୀ, କୁରାକାଓ (Curacao) ପତାକା ଧାରୀ ‘ଏମ/ଟି ବେଲମା’ (M/T Belma) ନାମକ ଏକ ଖାଲି ତେଲ ଟାଙ୍କର ଆମେରିକାର ଏକାଧିକ ଚେତାବନୀକୁ ଅଣଦେଖା କରି ଆରବ ସାଗର ଦେଇ ଇରାନର ଖାର୍ଗ ଦ୍ୱୀପ ଆଡ଼କୁ ଗତି କରୁଥିଲା। ଏହାପରେ ଆମେରିକାର ଏକ ସାମରିକ ବିମାନ ସେହି ଜାହାଜର ସ୍ମୋକଷ୍ଟାକ (ଧୂଆଁ ବାହାରୁଥିବା ପାଇପ୍) କୁ ଟାର୍ଗେଟ କରି ହେଲଫାୟାର ମିସାଇଲ (Hellfire Missiles) ମାଡ଼ କରିଥିଲା, ଯାହାଫଳରେ ଜାହାଜଟି ସେଠାରେ ହିଁ ଅଚଳ ହୋଇପଡ଼ିଛି।
ଇରାନ ଉପରେ ଆମେରିକାର ଦ୍ୱିତୀୟ ପର୍ଯ୍ୟାୟ ଆକ୍ରମଣ:ଏହି ଘଟଣାର ମାତ୍ର ଦିନକ ପୂର୍ବରୁ ଅର୍ଥାତ୍ ମଙ୍ଗଳବାର ଦିନ ଆମେରିକା ପକ୍ଷରୁ ଇରାନ ବନ୍ଦରକୁ ଯାତାୟାତ କରୁଥିବା ସମସ୍ତ ଜାହାଜ ଉପରେ କଟକଣା ଲଗାଯାଇଥିଲା। ଏହାପରେ ବୁଧବାର ଦିନ ଆମେରିକା ସେନା ଇରାନ ଉପରେ ଦୁଇ ଦୁଇଟି ବଡ଼ ଧରଣର ଏୟାର ଷ୍ଟ୍ରାଇକ କରିଛି।
ହରମୁଜ ପ୍ରଣାଳୀ (Strait of Hormuz) ଦେଇ ଯାଉଥିବା ଜାହାଜଗୁଡ଼ିକୁ ସୁରକ୍ଷା ଦେବା ଏବଂ ଇରାନର ସାମରିକ ଶକ୍ତିକୁ ଦୁର୍ବଳ କରିବା ପାଇଁ ଗ୍ରେଟର ଟୁନବ ଦ୍ୱୀପରେ ଥିବା ଇରାନର ଉପକୂଳ ପ୍ରତିରକ୍ଷା ବ୍ୟବସ୍ଥା ଏବଂ କ୍ରୁଜ୍ ମିସାଇଲ ସଂରକ୍ଷଣ କେନ୍ଦ୍ର ଉପରେ ଆମେରିକା ସଠିକ୍ ନିଶାନା ସହ ବୋମା ବର୍ଷଣ କରିଛି। ଅପରପକ୍ଷରେ, ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କୋର୍ପସ (IRGC) ଏହି ଆକ୍ରମଣର ଜବାବରେ ବହୁତ ବଡ଼ ପାଲଟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ବହାରିନ ଏବଂ ଜର୍ଡାନରେ ଥିବା ଆମେରିକାର ସାମରିକ ଘାଟି ଉପରେ ଇରାନ ଆକ୍ରମଣ କରିଛି। ଜର୍ଡାନର ଅଲ-ଆଜରାକ ଠାରେ ଥିବା ଆମେରିକା ସେନା ବେସ୍ ଉପରେ ଇରାନର ଏରୋସ୍ପେସ ଫୋର୍ସ ମିସାଇଲ ମାଡ଼ କରି ଆମେରିକାର ଅନେକ F-15, F-16, F-35 ଯୁଦ୍ଧବିମାନ ଏବଂ ରଣନୈତିକ MQ-9 ଡ୍ରୋନ ରହୁଥିବା ସେଲ୍ଟରଗୁଡ଼ିକୁ ଧ୍ୱଂସ କରିଦେଇଥିବା ଇରାନର ସରକାରୀ ଗଣମାଧ୍ୟମ ଦାବି କରିଛି।




