ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ପ୍ରଭାବରେ ବିଗତ ୨୪ ଘଣ୍ଟା ମଧ୍ୟରେ ବ୍ୟାପକ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ସକାଳ ୮:୩୦ ସୁଦ୍ଧା ପ୍ରକାଶିତ ତଥ୍ୟ ଅନୁଯାୟୀ, କଟକ ଜିଲ୍ଲାର ବାଙ୍କୀରେ ସର୍ବାଧିକ ୨୧୦.୦ ମିଲିମିଟର (ମିମି) ବର୍ଷା ରେକର୍ଡ ହୋଇଛି।ପାଣିପାଗ ବୁଲେଟିନ୍ ଅନୁସାରେ, ରାଜ୍ୟର ୨ଟି ସ୍ଥାନରେ ଅତି ଗମ୍ଭୀର ବୃଷ୍ଟିପାତ ହୋଇଥିବା ବେଳେ ୧୦ଟି ଷ୍ଟେସନରେ ଅତି ପ୍ରବଳ ଏବଂ ୬୯ଟି ଷ୍ଟେସନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି।
ବିଶେଷ କରି କଟକ, ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର, କନ୍ଧମାଳ, ନୟାଗଡ଼ ଏବଂ କେନ୍ଦୁଝର ଜିଲ୍ଲାରେ ବର୍ଷାର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। କଟକ ଜିଲ୍ଲା ବାଙ୍କୀରେ ସର୍ବାଧିକ ୨୧୦.୦ ମିମି ଏବଂ ତିଗିରିଆରେ ୧୭୧.୦ ମିମି ବର୍ଷା ହୋଇଛି। ଅନୁଗୁଳ ସହରରେ ୨୦.୦ ମିମି ଏବଂ ତାଳଚେରରେ ୧୯୫.୦ ମିମି ବର୍ଷା ରେକର୍ଡ ହୋଇଛି। ଢେଙ୍କାନାଳର ପରଜଙ୍ଗରେ ୧୪୨.୦ ମିମି ଓ ଆଲ୍ତୁମାରେ ୧୨୦.୦ ମିମି, ବୌଦ୍ଧର ହରଭଙ୍ଗାରେ ୧୪୦.୦ ମିମି, ନୟାଗଡ଼ର ଭାପୁରରେ ୧୩୨.୮ ମିମି ଏବଂ କେନ୍ଦୁଝରର ହାଟଡିହିରେ ୧୩୧.୮ ମିମି ବର୍ଷା ହୋଇଛି।
ରଥଯାତ୍ରା ସମୟରେ ଉପକୂଳରେ ପ୍ରବଳ ବର୍ଷା:ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ମଧ୍ୟ ପ୍ରବଳ ବର୍ଷା ଜାରି ରହିଛି। ଶ୍ରୀକ୍ଷେତ୍ର ପୁରୀ ସହରରେ ୮୯.୫ ମିମି ଏବଂ ପିପିଲିରେ ୮୧.୦ ମିମି ବର୍ଷା ହୋଇଛି। ଏହାଛଡ଼ା ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ଖୋର୍ଦ୍ଧା ଜିଲ୍ଲାରେ ୭୦ ମିମିରୁ ୧୧୫ ମିମି ମଧ୍ୟରେ ବର୍ଷା ହୋଇଛି। ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଚାଲିଥିବା ବେଳେ ଏବଂ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିବା ସମୟରେ ଏହି ଲଗାତାର ବର୍ଷା ଯାତ୍ରୀଙ୍କ ପାଇଁ ସମସ୍ୟା ବଢ଼ାଇ ଦେଇଛି।
ପାଣିପାଗ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସରକାରୀ ପୂର୍ବାନୁମାନ ପ୍ରତି ସତର୍କ ରହିବାକୁ, ଜଳବନ୍ଦୀ ରାସ୍ତାକୁ ନଯିବାକୁ ଏବଂ ଘଡ଼ଘଡ଼ି ସମୟରେ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି। ସ୍ଥାନୀୟ ପ୍ରଶାସନ ତଳିଆ ଅଞ୍ଚଳର ବାସିନ୍ଦା ଏବଂ ପୁରୀ ଆସିଥିବା ଶ୍ରଦ୍ଧାଳୁମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ନିବେଦନ କରିଛି।




