ଭୁବନେଶ୍ୱର: ଆଦିବାସୀ ଅଞ୍ଚଳର ବିକାଶ ଏବଂ ସରକାରୀ ଯୋଜନାର ସୁଫଳ ସମାଜର ଶେଷ ଧାଡ଼ିର ଲୋକଙ୍କ ପାଖରେ ପହଞ୍ଚାଇବାକୁ ସ୍ୱତନ୍ତ୍ର ବିକାଶ ପରିଷଦ (SDC)ର ନବନିଯୁକ୍ତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷମାନଙ୍କୁ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଶନିବାର ୨୩ଟି ସ୍ୱତନ୍ତ୍ର ବିକାଶ ପରିଷଦର ନବନିଯୁକ୍ତ ପଦାଧିକାରୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶାର ୬୨ଟି ଆଦିବାସୀ ସମ୍ପ୍ରଦାୟର ଭାଷା, କଳା, ସଂସ୍କୃତି ଓ ପରମ୍ପରାର ସୁରକ୍ଷା ସହ ସେମାନଙ୍କ ସାମାଜିକ ଓ ଆର୍ଥିକ ବିକାଶରେ SDCର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ସେ କହିଥିଲେ, “ଆମ ପାଇଁ ରାଜନୀତି କ୍ଷମତା ଉପଭୋଗର ମାଧ୍ୟମ ନୁହେଁ, ବରଂ ସମାଜର ଶେଷ ଧାଡ଼ିରେ ଥିବା ସବୁଠାରୁ ଗରିବ ଲୋକଙ୍କ ସେବା କରିବାର ମାଧ୍ୟମ। ‘ଅନ୍ତ୍ୟୋଦୟ’ର ଲକ୍ଷ୍ୟକୁ ସାକାର କରିବା ପାଇଁ ଆପଣମାନେ ଆଦିବାସୀ ସମ୍ପ୍ରଦାୟର ବିକାଶ ଦିଗରେ ନିଷ୍ଠାର ସହ କାମ କରନ୍ତୁ।”

ସ୍ଥାନୀୟ ସମସ୍ୟାର ସମାଧାନ କ୍ଷେତ୍ରରେ ଧୈର୍ଯ୍ୟର ସହ କାମ କରିବା ସହ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ନଜରକୁ ସମସ୍ୟା ଆଣିବାକୁ ସେ ପରାମର୍ଶ ଦେଇଥିଲେ। ସମ୍ପୃକ୍ତ ବିଭାଗ ଓ ମନ୍ତ୍ରୀମାନେ ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବେ ବୋଲି ମଧ୍ୟ ସେ ଆଶ୍ୱାସନା ଦେଇଥିଲେ।

ମୁଖ୍ୟମନ୍ତ୍ରୀ SDC ସଦସ୍ୟମାନଙ୍କୁ ନିୟମିତ ଭାବେ ଗାଁ ଓ ଅଞ୍ଚଳ ପରିଦର୍ଶନ କରି ଲୋକଙ୍କ ସହ ସିଧାସଳଖ ଯୋଗାଯୋଗ ରଖିବାକୁ କହିଥିଲେ। “କଥାରେ ନୁହେଁ, କାମରେ ବିଶ୍ୱାସ କରନ୍ତୁ। ଲୋକଙ୍କ ସମସ୍ୟା ବୁଝନ୍ତୁ ଏବଂ ‘Yes, We Can’ ମନୋଭାବ ସହ କାର୍ଯ୍ୟ କରନ୍ତୁ। ସଫଳତା ନିଶ୍ଚିତ ମିଳିବ,” ବୋଲି ସେ କହିଥିଲେ।

ଆଦିବାସୀ ବିକାଶକୁ ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଆଦିବାସୀ ସମାଜର ସ୍ୱତନ୍ତ୍ର ଭାଷା, କଳା ଓ ସଂସ୍କୃତିର ସୁରକ୍ଷା ସହ ସେମାନଙ୍କ ଜୀବନଯାପନର ମାନ ବୃଦ୍ଧି ପାଇଁ ପରିଷଦଗୁଡ଼ିକ ଦୃଢ଼ ସଂକଳ୍ପ ସହ କାର୍ଯ୍ୟ କରିବା ଆବଶ୍ୟକ। ସେ କହିଥିଲେ, ଆଦିବାସୀ କଳା ଓ ସଂସ୍କୃତିର ବିବିଧତା ଓଡ଼ିଶା ଓ ଦେଶର ଐତିହ୍ୟକୁ ସମୃଦ୍ଧ କରିଛି।

ସମ୍ବିଧାନର ଅନୁଚ୍ଛେଦ ୨୭୫(୧) ଅଧୀନରେ ଆଦିବାସୀ କଲ୍ୟାଣ ପାଇଁ ଚାଲୁଥିବା ବିଭିନ୍ନ କେନ୍ଦ୍ର ଓ ରାଜ୍ୟ ସରକାରୀ ଯୋଜନାର ସଫଳ କାର୍ଯ୍ୟକାରିତା ରାଜ୍ୟର ଆଦିବାସୀ ବିକାଶକୁ ଆହୁରି ତ୍ୱରାନ୍ୱିତ କରିବ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ଯେ, ଅନୁଚ୍ଛେଦ ୨୭୫(୧) ଅଧୀନରେ ଆଦିବାସୀଙ୍କ ବିକାଶ ଓ କଲ୍ୟାଣ ପାଇଁ ଓଡ଼ିଶା ୧୮,୩୭୧ କୋଟି ଟଙ୍କା ପାଇଛି।

ଏହି ଅବସରରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିକାଶ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ, ଆଦିବାସୀ ଅଞ୍ଚଳର ବିକାଶକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ସହ ସେମାନଙ୍କ କଳା, ସଂସ୍କୃତି ଓ ଐତିହ୍ୟକୁ ଆଗାମୀ ପିଢ଼ି ପାଇଁ ସଂରକ୍ଷିତ ରଖିବା ଉଦ୍ଦେଶ୍ୟରେ ଏହି ସ୍ୱତନ୍ତ୍ର ବିକାଶ ପରିଷଦଗୁଡ଼ିକ ଗଠନ କରାଯାଇଛି।