ବେଙ୍ଗାଲୁରୁ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡାଙ୍କ ପତ୍ନୀ ଚେନ୍ନମ୍ମା ଦେବେଗୌଡାଙ୍କର ଶନିବାର ପରଲୋକ ଘଟିଛି। ହୃଦ୍‌ଘାତରେ ବେଙ୍ଗାଲୁରୁସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁବେଳକୁ ତାଙ୍କ ବୟସ ୮୯ ବର୍ଷ ହୋଇଥିଲା।

ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶ୍ୱାସକ୍ରିୟାଜନିତ ସମସ୍ୟା କାରଣରୁ ଚେନ୍ନମ୍ମା କିଛି ଦିନ ହେବ ଚିକିତ୍ସାଧୀନ ଥିଲେ। ବୁଧବାର ରାତିରେ ତାଙ୍କୁ ବେଙ୍ଗାଲୁରୁର ପୁରୁଣା ବିମାନବନ୍ଦର ରୋଡ୍‌ସ୍ଥିତ ମଣିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶନିବାର ଅପରାହ୍ଣ ପ୍ରାୟ ୪ଟା ବେଳେ ତାଙ୍କର ହୃଦ୍‌ଘାତ ହେବା ପରେ ସେ ପ୍ରାଣ ହରାଇଥିଲେ। ଏହି ସମୟରେ ଦେବେଗୌଡା, ତାଙ୍କ ପୁଅ ତଥା କେନ୍ଦ୍ରମନ୍ତ୍ରୀ ଏଚ୍‌.ଡି. କୁମାରସ୍ୱାମୀ ଓ ପରିବାରର ଅନ୍ୟ ସଦସ୍ୟମାନେ ହସ୍ପିଟାଲରେ ଉପସ୍ଥିତ ଥିଲେ।

ପରିବାର ପକ୍ଷରୁ ଜଣାଯାଇଛି ଯେ, ଚେନ୍ନମ୍ମାଙ୍କ ପାର୍ଥିବ ଶରୀରକୁ ବେଙ୍ଗାଲୁରୁର ପଦ୍ମନାଭନଗରସ୍ଥିତ ପାରିବାରିକ ବାସଭବନରେ ସାଧାରଣ ଦର୍ଶନ ପାଇଁ ରଖାଯିବ। ଏହାପରେ ତାଙ୍କ ପୈତୃକ ଅଞ୍ଚଳ କର୍ଣ୍ଣାଟକର ହାସନ ଜିଲ୍ଲାରେ ଶେଷକୃତ୍ୟ ସମ୍ପନ୍ନ ହେବ।

ଚେନ୍ନମ୍ମା ୧୯୫୪ ମସିହାରେ ଏଚ୍‌.ଡି. ଦେବେଗୌଡାଙ୍କୁ ବିବାହ କରିଥିଲେ। ସେମାନଙ୍କର ଚାରି ପୁଅ ଓ ଦୁଇ ଝିଅ ଅଛନ୍ତି। ସେମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ୱାମୀ ଓ ବିଧାୟକ ଏଚ୍‌.ଡି. ରେବନ୍ନା ପ୍ରମୁଖ।

ଉଲ୍ଲେଖଯୋଗ୍ୟ ଯେ, ୨୦୦୧ ମସିହାରେ ଏକ ପାରିବାରିକ ବିବାଦକୁ କେନ୍ଦ୍ର କରି ହୋଇଥିବା ଏସିଡ୍ ଆକ୍ରମଣରୁ ଚେନ୍ନମ୍ମା ଅଳ୍ପକେ ବର୍ତ୍ତି ଯାଇଥିଲେ।

ଚେନ୍ନମ୍ମାଙ୍କ ନିଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା, ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କ ସମେତ ବିଭିନ୍ନ ରାଜନୈତିକ ନେତା ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଟେଲିଫୋନ୍ ଯୋଗେ ଏଚ୍‌.ଡି. ଦେବେଗୌଡାଙ୍କ ସହ କଥା ହୋଇ ସମବେଦନା ଜଣାଇଛନ୍ତି।