ଭୁବନେଶ୍ୱର/କାଳିଆପାଣି: ଯାଜପୁର ଜିଲ୍ଲାର ସୁକିନ୍ଦା କ୍ରୋମ ଉପତ୍ୟକାରେ ଚାଲିଥିବା ଖଣି ଖନନ କାର୍ଯ୍ୟକଳାପକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି। ସୁକିନ୍ଦା ବ୍ଲକ୍ର କଂସ ପଞ୍ଚାୟତ ଅନ୍ତର୍ଗତ ହାତୀହୁଡି ଓ କମର୍ଦ୍ଦା ମୁଣ୍ଡାସାହି ଅଞ୍ଚଳରେ ଅନିୟନ୍ତ୍ରିତ ଖଣି ଖନନ ଏବଂ ବ୍ଲାଷ୍ଟିଂ ଯୋଗୁଁ ସ୍ଥାନୀୟ ଲୋକ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରି ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ହସ୍ତକ୍ଷେପ ଲୋଡ଼ିଛନ୍ତି।
ଚିଠିରେ ସେ ଦାବି କରିଛନ୍ତି ଯେ, କମର୍ଦ୍ଦା ଓ ସାରୁଆବିଲ ଖଣି ଅଞ୍ଚଳରେ ଲଗାତାର ବ୍ଲାଷ୍ଟିଂ ଯୋଗୁଁ ନିକଟବର୍ତ୍ତୀ ଗ୍ରାମର ଅନେକ ଘରେ ବଡ଼ ବଡ଼ ଫାଟ ସୃଷ୍ଟି ହୋଇଛି। କେତେକ ଘର ବସବାସ ପାଇଁ ଅସୁରକ୍ଷିତ ହୋଇପଡ଼ିଥିବାରୁ ଶତାଧିକ ଆଦିବାସୀ ପରିବାର ଭୟ ଓ ଅନିଶ୍ଚିତତା ମଧ୍ୟରେ ଜୀବନ ବିତାଉଛନ୍ତି।
ପୂର୍ବତନ ମନ୍ତ୍ରୀଙ୍କ ଅଭିଯୋଗ ଅନୁସାରେ, ଖଣିର ଡମ୍ପିଂୟାର୍ଡରୁ ବାହାରୁଥିବା କ୍ରୋମାଇଟ୍ ମିଶ୍ରିତ ବର୍ଜ୍ୟଜଳ ନିକଟସ୍ଥ ଚାଷଜମି, ନାଳ ଓ ପୋଖରୀରେ ମିଶୁଥିବାରୁ ଜମିର ଉର୍ବରତା ହ୍ରାସ ପାଉଛି, ଫସଲ କ୍ଷତିଗ୍ରସ୍ତ ହେଉଛି ଏବଂ ଜଳ ପ୍ରଦୂଷଣ ଗୁରୁତର ଆକାର ଧାରଣ କରିଛି। ଏହାର ପ୍ରଭାବରେ ସ୍ଥାନୀୟ ଲୋକମାନେ ଚର୍ମରୋଗ, ଶ୍ୱାସକ୍ରିୟା ଜନିତ ସମସ୍ୟା, ବୃକକ ସମ୍ବନ୍ଧୀୟ ରୋଗ ସମେତ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ହେଉଥିବା ସେ କହିଛନ୍ତି।
ଚିଠିରେ ଆହୁରି ଉଲ୍ଲେଖ କରାଯାଇଛି ଯେ, ସମ୍ପୃକ୍ତ ଖଣି ପରିଚାଳନାକାରୀ ସଂସ୍ଥା ପରିବେଶ ସୁରକ୍ଷା, ପ୍ରଦୂଷଣ ନିୟନ୍ତ୍ରଣ ଓ ସ୍ଥାନୀୟ ବାସିନ୍ଦାଙ୍କ ସୁରକ୍ଷା ପ୍ରତି ଆବଶ୍ୟକୀୟ ଦାୟିତ୍ୱ ପାଳନ କରୁନାହାନ୍ତି। ସ୍ଥାନୀୟ ଲୋକ ଓ ଜନପ୍ରତିନିଧିମାନେ ବାରମ୍ବାର ପ୍ରଶାସନ ଏବଂ ଖଣି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସ୍ଥାୟୀ ସମାଧାନ ପାଇଁ କୌଣସି ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ କରାଯାଇଛି।
ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଇ ଅନିୟନ୍ତ୍ରିତ ବ୍ଲାଷ୍ଟିଂ ଓ ପ୍ରଦୂଷଣ ରୋକିବା, କ୍ଷତିଗ୍ରସ୍ତ ପରିବାରଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବା ଏବଂ ପ୍ରଭାବିତ ଆଦିବାସୀ ପରିବାରଙ୍କ ଜୀବନ, ଜୀବିକା, ସ୍ୱାସ୍ଥ୍ୟ ଓ ପରିବେଶର ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ପ୍ରୀତିରଞ୍ଜନ ଘଡ଼ାଇ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।
ଏହା ସହିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଖଣି ସୁରକ୍ଷା ମହାନିର୍ଦ୍ଦେଶକ ଏବଂ ସମ୍ପୃକ୍ତ ଖଣି ପରିଚାଳନା କର୍ତ୍ତୃପକ୍ଷଙ୍କୁ ମଧ୍ୟ ଏହି ପ୍ରସଙ୍ଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ଅବଗତ କରାଯାଇଥିବା ଜଣାପଡ଼ିଛି।




