ନୂଆଦିଲ୍ଲୀ: ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ମୁଖ୍ୟ ଉଦ୍ଧବ ଠାକରେ ଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। କେବଳ ଜଣେ ବ୍ୟକ୍ତିଙ୍କୁ ପଦରୁ ହଟାଇଲେ କିଛି ହେବନାହିଁ, ବରଂ ଦେଶର ସମ୍ପୂର୍ଣ୍ଣ ସରକାରକୁ ବଦଳାଇବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।
ନିର୍ବାଚନ ପାଇଁ ଆହୁରି ଦୁଇ ବର୍ଷ ବାକି ଅଛି ଏବଂ ଏହି ସଂଗ୍ରାମ କେବଳ ଏକ ଆରମ୍ଭ। ସରକାର ନବଦଳିବା ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ଜୀବନରେ କୌଣସି ପରିବର୍ତ୍ତନ ଆସିବ ନାହିଁ ବୋଲି ସେ ବିକ୍ଷୋଭକାରୀ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି କହିଛନ୍ତି।
ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ଉଦ୍ଧବ ଠାକରେ ସିଧାସଳଖ ଜନ୍ତର ମନ୍ତର ଅଭିମୁଖେ ଗସ୍ତ କରିଥିଲେ। ସେଠାରେ ସେ ‘କାକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ଏବଂ ଅନ୍ୟାନ୍ୟ ଆନ୍ଦୋଳନକାରୀ ଛାତ୍ରମାନଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଥିଲେ। ଏହି ଗସ୍ତ ସମୟରେ ସାଂସଦ ସଞ୍ଜୟ ରାଉତ, ଅରବିନ୍ଦ ସାୱନ୍ତ ଓ ଅନିଲ ଦେଶାଇ ତାଙ୍କ ସହ ଉପସ୍ଥିତ ଥିଲେ।
ଛାତ୍ର ଆନ୍ଦୋଳନ ଉପରେ ପୋଲିସର ଲାଠିଚାଲନାକୁ ସେ କଠୋର ଭାବେ ନିନ୍ଦା କରିଛନ୍ତି। “ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ କୌଣସି ସରକାର ନିଜ ଦେଶର ଯୁବପିଢ଼ିଙ୍କ ଉପରେ ଲାଠିଚାଳନା କରୁଥିବାର ଦେଖିବାକୁ ମିଳୁଛି। ଯେଉଁମାନେ ଆନ୍ଦୋଳନକାରୀଙ୍କୁ ‘ଆତଙ୍କବାଦୀ’ ବୋଲି କହୁଛନ୍ତି, ସେମାନେ ନିଜେ ବିଦେଶରୁ ଆସିଛନ୍ତି କି?” ବୋଲି ସେ ପ୍ରଶ୍ନ କରିଛନ୍ତି।
ନୀଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଯୋଗୁଁ ଅନେକ ନିରୀହ ଛାତ୍ରଛାତ୍ରୀ ଆତ୍ମହତ୍ୟା କରୁଛନ୍ତି। ଦେଶ ପାଇଁ ସେମାନଙ୍କ ବଳିଦାନକୁ ଭୁଲିଯିବା ଉଚିତ୍ ନୁହେଁ।
ଆମେରିକାର ସୁଖସ୍ୱାଚ୍ଛନ୍ଦ୍ୟ ଛାଡ଼ି ନିଜ ଦେଶର ଛାତ୍ରମାନଙ୍କ ହକ୍ ପାଇଁ ଲଢ଼େଇ କରିବାକୁ ଫେରିଥିବା ଅଭିଜିତ୍ ଦୀପକେଙ୍କ ସାହସକୁ ଉଦ୍ଧବ ଠାକରେ ପ୍ରଶଂସା କରିଥିଲେ। ମହାରାଷ୍ଟ୍ର ଏହି ସଂଗ୍ରାମରେ ସମ୍ପୂର୍ଣ୍ଣ ଭାବେ ଛାତ୍ରସମାଜ ସହ ଛିଡ଼ା ହୋଇଛି ଏବଂ ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।




