ହୀରାକୁଦରୁ ଖଲାସ ହେଉଛି ବନ୍ୟାଜଳ

ଭୁବନେଶ୍ୱର: ଉପରମୁଣ୍ଡରେ କ୍ରମାଗତ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଜଳଭଣ୍ଡାରରେ ବୃଦ୍ଧି ପାଉଥିବା ଜଳକୁ ନିୟନ୍ତ୍ରଣ କରିବା ପାଇଁ ସୋମବାର ଡ୍ୟାମ୍ କର୍ତ୍ତୃପକ୍ଷ ୧୦ଟି ଗେଟ୍ ଖୋଲି ବନ୍ୟାଜଳ ନିଷ୍କାସନ ଆରମ୍ଭ କରିଛନ୍ତି।

ସୂଚନା ଅନୁଯାୟୀ, ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୩.୩୩ ଫୁଟ୍‌ରେ ପହଞ୍ଚିଛି। ଏହି ସମୟରେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨,୧୦,୪୨୯ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୧୦ଟି ଗେଟ୍ ଦେଇ ୧,୮୬,୩୫୪ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଖୋଲାଯାଇଥିବା ଗେଟ୍‌ଗୁଡ଼ିକ ମଧ୍ୟରୁ ବାମପଟେ ୭ଟି ଏବଂ ଡାହାଣପଟେ ୩ଟି ଗେଟ୍ ରହିଛି।

ଅନ୍ୟପଟେ ହୀରାକୁଦରୁ ଛଡ଼ାଯାଇଥିବା ବନ୍ୟାଜଳ କଟକର ମୁଣ୍ଡଳି ବ୍ୟାରେଜ୍ ନିକଟରେ ପହଞ୍ଚିସାରିଛି। ବର୍ତ୍ତମାନ ମୁଣ୍ଡଳିଠାରେ ୧ ଲକ୍ଷ କ୍ୟୁସେକ୍‌ରୁ ଅଧିକ ବନ୍ୟାଜଳ ପ୍ରବାହିତ ହେଉଥିବା ରେକର୍ଡ କରାଯାଇଛି।

ମହାନଦୀ ଜଳନିଷ୍କାସନ ବ୍ୟବସ୍ଥାରେ ବର୍ତ୍ତମାନ ସୁଦ୍ଧା କୌଣସି ବନ୍ୟା ସୃଷ୍ଟି ହେବାର ଆଶଙ୍କା ନାହିଁ। ମହାନଦୀ ଅବବାହିକାର ଉପରମୁଣ୍ଡରେ ବର୍ଷା ଜାରି ରହିଥିବାରୁ ଜଳସମ୍ପଦ ବିଭାଗ ଓ ଡ୍ୟାମ୍ କର୍ତ୍ତୃପକ୍ଷ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।