ପୁରୀ: ବିଶ୍ୱପ୍ରସିଦ୍ଧ ପବିତ୍ର ରଥଯାତ୍ରା ଉତ୍ସବ ଚାଲିଥିବା ବେଳେ ଶ୍ରୀକ୍ଷେତ୍ର ପୁରୀ ପାଇଁ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ସ୍ୱତନ୍ତ୍ର ପାଣିପାଗ ପୂର୍ବାନୁମାନ ଜାରି କରାଯାଇଛି।

ବୁଧବାର ସକାଳ ୧୦ଟାରେ ପ୍ରକାଶିତ ସୂଚନା ଅନୁଯାୟୀ, ଆଗାମୀ ୬ ଘଣ୍ଟା ପର୍ଯ୍ୟନ୍ତ ପୁରୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଆକାଶ ସାଧାରଣତଃ ମେଘୁଆ ରହିବା ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆଜି ସହରର ତାପମାତ୍ରା ୨୯ ରୁ ୩୧ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ। ଏହି ସମୟରେ ବାୟୁମଣ୍ଡଳରେ ଆର୍ଦ୍ରତାର ପରିମାଣ ୮୫ ରୁ ୯୫ ପ୍ରତିଶତ ପର୍ଯ୍ୟନ୍ତ ଅତ୍ୟଧିକ ରହିବା ଯୋଗୁଁ ଗୁଳୁଗୁଳି ଅନୁଭୂତ ହୋଇପାରେ।

ସକାଳ ୮:୩୦ ସୁଦ୍ଧା ପୁରୀର ତାପମାତ୍ରା ୨୮.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଆର୍ଦ୍ରତା ୯୧ ପ୍ରତିଶତ ଥିଲା। ସକାଳ ୮:୩୦ ରୁ ୯:୩୦ ମଧ୍ୟରେ କୁହୁଡ଼ିଆ ଓ ମେଘୁଆ ପରିବେଶ ମଧ୍ୟରେ ୨୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ବର୍ଷା ସହ ବଜ୍ରପାତ ଓ ଘଡ଼ଘଡ଼ିର ସମ୍ଭାବନା ଥିବାରୁ ଶ୍ରୀକ୍ଷେତ୍ରରେ ଉପସ୍ଥିତ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ ତୀର୍ଥଯାତ୍ରୀଙ୍କୁ ସତର୍କ ରହିବାକୁ IMD ପରାମର୍ଶ ଦେଇଛି।

ରଥଯାତ୍ରା ସମୟରେ ଜନସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ପାଣିପାଗ ବିଭାଗ ପକ୍ଷରୁ ନିରନ୍ତର ସ୍ଥିତି ଉପରେ ନଜର ରଖାଯାଇଛି, ଯାହାଫଳରେ ଭକ୍ତମାନେ ସୁରକ୍ଷିତ ଭାବେ ଶ୍ରୀଜୀଉଙ୍କ ଦର୍ଶନ ଓ ରଥଯାତ୍ରାର ଆନନ୍ଦ ନେଇପାରିବେ।