ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ (CMO)ରୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ନିଖୋଜ ଘଟଣାର ତଦନ୍ତକୁ ନେଇ ତତ୍ପରତା ବଢ଼ିଛି। ଏହି ମାମଲାରେ ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ରାଜନେତା ଭି.କେ. ପାଣ୍ଡିଆନଙ୍କୁ ଭୁବନେଶ୍ୱର ଏସିପି ଜୋନ୍–୧ ପକ୍ଷରୁ ନୋଟିସ୍ ଜାରି କରାଯାଇଛି।
ନୋଟିସ୍ ଅନୁଯାୟୀ, ଭି.କେ. ପାଣ୍ଡିଆନଙ୍କୁ ଜୁଲାଇ ୨୫ ତାରିଖରେ ଏସିପି କାର୍ଯ୍ୟାଳୟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ତଦନ୍ତରେ ସହଯୋଗ କରିବାକୁ କୁହାଯାଇଛି।
ଏହା ପୂର୍ବରୁ ଏହି ମାମଲାରେ ରାଜ୍ୟ ସରକାର ଦୁଇଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ମଧ୍ୟ ନୋଟିସ୍ ଜାରି କରିଥିଲେ। ତେବେ ସେମାନେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ନିର୍ଦ୍ଧାରିତ ତାରିଖରେ ହାଜର ହୋଇପାରିନଥିଲେ। ବର୍ତ୍ତମାନ ଭି.କେ. ପାଣ୍ଡିଆନଙ୍କୁ ନୋଟିସ୍ ଜାରି ହେବା ପରେ ସେ ନିର୍ଦ୍ଧାରିତ ଦିନରେ ତଦନ୍ତକାରୀ ଅଧିକାରୀଙ୍କ ସମ୍ମୁଖରେ ହାଜର ହେବେ କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି।
ସରକାରୀ ଦସ୍ତାବିଜ ଓ ଗୁରୁତ୍ୱପୂର୍ଣ୍ଣ ଫାଇଲ ନିଖୋଜ ଘଟଣାକୁ ପ୍ରଶାସନ ଗମ୍ଭୀରତାର ସହ ନେଇଥିବା ବେଳେ, ପୁଲିସ ତଦନ୍ତକୁ ଆହୁରି ବ୍ୟାପକ କରିଛି। ମାମଲା ସହ ଜଡ଼ିତ ବିଭିନ୍ନ ପକ୍ଷଙ୍କଠାରୁ ସୂଚନା ସଂଗ୍ରହ କରାଯାଉଥିବା ସହ ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତନାଘନା ଜାରି ରହିଛି।
ଏହି ଘଟଣାକୁ ନେଇ ରାଜନୈତିକ ଓ ପ୍ରଶାସନିକ ମହଲରେ ଚର୍ଚ୍ଚା ଜୋର ଧରିଥିବା ବେଳେ, ତଦନ୍ତର ପରବର୍ତ୍ତୀ ପର୍ଯ୍ୟାୟରେ ଆହୁରି ନୂଆ ତଥ୍ୟ ସାମ୍ନାକୁ ଆସିପାରେ ବୋଲି ଆଲୋଚନା ହେଉଛି।




