ଗ୍ଲାସ୍ଗୋ: ସ୍କଟ୍ଲାଣ୍ଡର ଗ୍ଲାସ୍ଗୋରେ ଗୁରୁବାରଠାରୁ ଆରମ୍ଭ ହେଉଛି ୨୩ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା (Commonwealth Games 2026)। ଅଗଷ୍ଟ ୨ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ୯ ଦିନିଆ ମେଗା କ୍ରୀଡ଼ା ଆୟୋଜନରେ ୭୪ଟି ରାଜ୍ୟଗୋଷ୍ଠୀ ଦେଶରୁ ୩,୦୦୦ରୁ ଅଧିକ ଖେଳାଳି ୧୦ଟି କ୍ରୀଡ଼ାର ୨୧୫ଟି ପଦକ ଇଭେଣ୍ଟରେ ଅଂଶଗ୍ରହଣ କରିବେ।
ରାଣୀ ଏଲିଜାବେଥ-୨ଙ୍କ ଦେହାନ୍ତ ପରେ ପ୍ରଥମଥର ପାଇଁ ଆୟୋଜିତ ହେଉଥିବା ଏହି ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମୁଖ୍ୟ ହେଉଛନ୍ତି ରାଜା ଚାର୍ଲସ। ପ୍ରତିଯୋଗିତାରେ ଦୌଡ଼କୁଦ, ସନ୍ତରଣ, ୩x୩ ବାସ୍କେଟବଲ୍, ଟ୍ରାକ୍ ସାଇକ୍ଲିଂ, ଭାରୋତ୍ତୋଳନ, ଲନ୍ ବଲ୍, ଜିମ୍ନାଷ୍ଟିକ୍ସ, ନେଟ୍ବଲ୍, ମୁଷ୍ଟିଯୁଦ୍ଧ ଓ ଜୁଡୋ ସମେତ ୧୦ଟି କ୍ରୀଡ଼ା ସାମିଲ ହୋଇଛି।
୧୨୫ ଜଣିଆ ଭାରତୀୟ ଦଳ, ପଦକ ଆଶା ଦୌଡ଼କୁଦ ଓ ଭାରୋତ୍ତୋଳନରେ
ଭାରତ ଏଥର ୧୨୫ ଜଣିଆ ଶକ୍ତିଶାଳୀ ଦଳ ପଠାଇଛି। ତେବେ ଗ୍ଲାସ୍ଗୋ ସଂସ୍କରଣରୁ ବ୍ୟାଡ୍ମିଣ୍ଟନ, କୁସ୍ତି ଓ ହକି ବାଦ୍ ପଡ଼ିଥିବାରୁ ଭାରତର ପଦକ ସଂଖ୍ୟା ଉପରେ ଏହାର ପ୍ରଭାବ ପଡ଼ିପାରେ। ୨୦୨୨ ବର୍ମିଂହାମ୍ ଗେମ୍ସରେ ଏହି ତିନିଟି କ୍ରୀଡ଼ାରୁ ଭାରତ ୩୦ଟି ପଦକ ଜିତିଥିଲା।
ତଥାପି ଦୁଇଥର ଅଲିମ୍ପିକ୍ ପଦକ ବିଜେତା ନୀରଜ ଚୋପ୍ରାଙ୍କ ନେତୃତ୍ୱରେ ଯାଉଥିବା ୩୨ ଜଣିଆ ଦୌଡ଼କୁଦ ଦଳ ଉପରେ ସମସ୍ତଙ୍କ ନଜର ରହିଛି। ଏହି ଦଳ ୨୨ଟି ପଦକ ଇଭେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରିବ।
ନୀରଜଙ୍କ ବ୍ୟତୀତ ସର୍ବେଶ କୁଶାରେ (ହାଇଜମ୍ପ), ମୁରଲୀ ଶ୍ରୀଶଙ୍କର (ଲଙ୍ଗ୍ଜମ୍ପ), ପ୍ରବୀଣ ଚିତ୍ରାଭେଲ (ଟ୍ରିପଲ୍ଜମ୍ପ) ଏବଂ ଭାରତର ପୁରୁଷ ଓ ମହିଳା ୪×୪୦୦ ମିଟର ରିଲେ ଦଳଠାରୁ ପଦକ ଆଶା କରାଯାଉଛି। ବର୍ମିଂହାମ୍ ସଂସ୍କରଣରେ ଭାରତ ଦୌଡ଼କୁଦରୁ ୮ଟି ପଦକ ଜିତିଥିଲା।
ମୀରାବାଇ ଓ ଲଭ୍ଲୀନାଙ୍କ ଉପରେ ମଧ୍ୟ ନଜର
ଭାରୋତ୍ତୋଳନରେ ଟୋକିଓ ଅଲିମ୍ପିକ୍ ରୌପ୍ୟ ପଦକ ବିଜେତା ମୀରାବାଇ ଚାନୁଙ୍କ ସମେତ ୧୧ ଜଣିଆ ଦଳ ପଦକ ଜିତିବାର ପ୍ରମୁଖ ଦାବିଦାର ଭାବେ ଗଣାଯାଉଛନ୍ତି। ସେହିପରି ଲଭ୍ଲୀନା ବୋରଗୋହାଇଁଙ୍କ ନେତୃତ୍ୱାଧୀନ ମୁଷ୍ଟିଯୁଦ୍ଧ ଦଳଠାରୁ ମଧ୍ୟ ଏକାଧିକ ପଦକ ଆଶା କରାଯାଉଛି।
ଲନ୍ ବଲ୍ରେ ୨୦୨୨ର ସ୍ୱର୍ଣ୍ଣ ବିଜେତା ଭାରତୀୟ ମହିଳା ଦଳ ଓ ରୌପ୍ୟ ବିଜେତା ପୁରୁଷ ଦଳ ମଧ୍ୟ ଏଥର ପଦକ ଦୌଡ଼ରେ ରହିବେ। ଗତ ସଂସ୍କରଣରେ ୬୧ଟି ପଦକ ଜିତି ଶୀର୍ଷ-୫ରେ ସ୍ଥାନ ପାଇଥିବା ଭାରତ ଏଥର ମଧ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ ଲକ୍ଷ୍ୟ ରଖିଛି।
ଉଦ୍ଘାଟନୀ ଉତ୍ସବରେ ମୀରାବାଇ ପତାକାବାହକ
ଗ୍ଲାସ୍ଗୋର ଓଭିଓ ହାଇଡ୍ରୋ ଆରେନାରେ ରଙ୍ଗାରଙ୍ଗ ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହେବ। ଭାରତ ପକ୍ଷରୁ ମୀରାବାଇ ଚାନୁ ପତାକାବାହକ ଭୂମିକାରେ ରହିବେ ଏବଂ ଲଭ୍ଲୀନା ବୋରଗୋହାଇଁ ବାଟନ୍ ବହନ କରିବେ। ଭାରତ ପ୍ରଥମ ଦିନରେ ଲନ୍ ବଲ୍ରୁ ନିଜ ଅଭିଯାନ ଆରମ୍ଭ କରିବ।
ଏଥର ଓଡ଼ିଶାର ତପନ ମହାନ୍ତି, ତପେଶ୍ୱରନାଥ ଦାଶ (ଜିମ୍ନାଷ୍ଟିକ୍ସ) ଏବଂ ଅନିମେଷ କୁଜୁର (ଦୌଡ଼କୁଦ) ମଧ୍ୟ ଭାରତ ପକ୍ଷରୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ରାଜ୍ୟର ଗୌରବ ବଢ଼ାଇବାକୁ ଲକ୍ଷ୍ୟ ରଖିଛନ୍ତି।




