ପୁରୀ/ଭୁବନେଶ୍ୱର: ପବିତ୍ର ବାହୁଡ଼ାଯାତ୍ରା ଅବସରରେ ପୁରୀ ବଡ଼ଦାଣ୍ଡରେ ଜଣେ ଭକ୍ତ ଅସୁସ୍ଥ ହେବା ପରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକ ହେଲେ କଟକ ଜିଲ୍ଲାର ଅଭିରାମ ଦାସ (୫୭)

ମିଳିଥିବା ସୂଚନା ଅନୁସାରେ, ସୁଭଦ୍ରାଙ୍କ ରଥ ନିକଟରେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଉପସ୍ଥିତ ସେବାକର୍ମୀମାନେ ତାଙ୍କୁ ପ୍ରଥମେ ବଗଲା ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପ୍ରାଥମିକ ସୂଚନା ଅନୁସାରେ, ମୃତକ ଦୀର୍ଘଦିନ ଧରି ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ତେବେ ତାଙ୍କ ମୃତ୍ୟୁର ସଠିକ୍ କାରଣ ସମ୍ପର୍କରେ ସରକାରୀ ଭାବେ କୌଣସି ଚିକିତ୍ସା ରିପୋର୍ଟ କିମ୍ବା ବିବୃତ୍ତି ସାମ୍ନାକୁ ଆସିନାହିଁ।

ଏହି ଘଟଣାକୁ ନେଇ ପୁଲିସ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିଧିବଦ୍ଧ ସୂଚନା ପ୍ରକାଶ କରାଯାଇନାହିଁ। ବାହୁଡ଼ାଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବାରୁ ସ୍ୱାସ୍ଥ୍ୟ ଓ ଜରୁରୀକାଳୀନ ସେବା ବ୍ୟବସ୍ଥାକୁ ସକ୍ରିୟ ରଖାଯାଇଛି।