ନୂଆଦିଲ୍ଲୀ: ନିଟ୍‌ ପ୍ରଶ୍ନପତ୍ର ଲିକ୍‌କୁ କେନ୍ଦ୍ର କରି ଦେଶବ୍ୟାପୀ ଛାତ୍ର ଆନ୍ଦୋଳନ ଓ ବିରୋଧୀଙ୍କ ଚାପ ବଢ଼ୁଥିବା ବେଳେ କେନ୍ଦ୍ର ସରକାର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ନେଇ ନିଜର ସ୍ଥିତି ସ୍ପଷ୍ଟ କରିଛନ୍ତି। ସରକାରୀ ସୂତ୍ର ଅନୁସାରେ, ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବେ ନାହିଁ ଏବଂ ସରକାର ଜନତାଙ୍କ ଦେଇଥିବା ଜନାଦେଶ ପୂରଣ ପାଇଁ ପ୍ରତିବଦ୍ଧ ରହିବ।

ସୂତ୍ରମାନଙ୍କ କହିବା ଅନୁଯାୟୀ, ଏଭଳି ପରିସ୍ଥିତିରେ ମନ୍ତ୍ରୀଙ୍କୁ ପଦରୁ ହଟାଇବାର କୌଣସି ପ୍ରଶ୍ନ ଉଠୁନାହିଁ। ବରଂ ଶିକ୍ଷା ବ୍ୟବସ୍ଥାରେ ଆବଶ୍ୟକ ସଂସ୍କାର ଆଣିବା ଏବଂ ପରୀକ୍ଷା ପ୍ରଣାଳୀକୁ ଅଧିକ ସ୍ୱଚ୍ଛ ଓ ବିଶ୍ୱସନୀୟ କରିବା ଦିଗରେ ସରକାର କାର୍ଯ୍ୟ ଜାରି ରଖିବ ବୋଲି କୁହାଯାଇଛି।

ଅନ୍ୟପକ୍ଷରେ, ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ନେଇ ଛାତ୍ର ସଂଗଠନ ଓ ବିରୋଧୀ ଦଳମାନେ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡ଼ି ରହିଛନ୍ତି। ସଂସଦର ଉଭୟ ସଦନରେ ଏହି ପ୍ରସଙ୍ଗକୁ ନେଇ ଲଗାତାର ହଙ୍ଗାମା ଜାରି ରହିଥିବା ବେଳେ ଶୁକ୍ରବାର ମଧ୍ୟ ବିରୋଧୀ ସାଂସଦମାନେ ‘ଶିକ୍ଷାମନ୍ତ୍ରୀ ଇସ୍ତଫା ଦିଅନ୍ତୁ’ ବୋଲି ସ୍ଲୋଗାନ ଦେଇଥିଲେ। ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିଥିଲେ ମଧ୍ୟ ବିରୋଧୀ ଦଳ ପ୍ରଥମେ ଇସ୍ତଫା ଓ ପରେ ଆଲୋଚନା ଦାବିରେ ଅଟଳ ରହିଛନ୍ତି।

ଏହି ପରିପ୍ରେକ୍ଷୀରେ ଜନ୍ତରମନ୍ତରରେ ଆନ୍ଦୋଳନରେ ସାମିଲ ସିଜେପି (କକ୍ରୋଚ୍‌ ଜନତା ପାର୍ଟି) ପ୍ରତିନିଧିମାନଙ୍କ ସହ କେନ୍ଦ୍ର ସରକାରଙ୍କ ଦ୍ୱିତୀୟ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ କେନ୍ଦ୍ର ପକ୍ଷରୁ ଜେ.ପି. ନଡ୍ଡାଜିତେନ୍ଦ୍ର ସିଂହ ଯୋଗ ଦେଇଥିଲେ।

ବୈଠକ ପରେ ସିଜେପିର ମୁଖପାତ୍ର ଅଶୁତୋଷ ରାଙ୍କା ଦାବି କରିଥିଲେ ଯେ, ସରକାର ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପ୍ରସଙ୍ଗରେ ଶନିବାର ଅପରାହ୍ଣ ପର୍ଯ୍ୟନ୍ତ ସମୟ ମାଗିଛନ୍ତି। ସେହିପରି ନିଟ୍‌ ଘଟଣା ପରେ ମୃତ ପରୀକ୍ଷାର୍ଥୀଙ୍କ ପରିବାରକୁ କ୍ଷତିପୂରଣ ଓ ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କ ବିରୋଧରେ ରୁଜୁ ମାମଲା ପ୍ରତ୍ୟାହାର ଦାବିକୁ ସରକାର ସକାରାତ୍ମକ ଭାବେ ବିଚାର କରିଥିବା ସେ ଦାବି କରିଛନ୍ତି।

ତେବେ ସରକାରୀ ସୂତ୍ର ଏହି ଦାବି ସହ ଏକମତ ନୁହେଁ। ସୂତ୍ରମାନଙ୍କ କହିବା ଅନୁଯାୟୀ, ଆଲୋଚନା ପ୍ରକ୍ରିୟା ଜାରି ରହିବ, କିନ୍ତୁ ଶିକ୍ଷାମନ୍ତ୍ରୀଙ୍କୁ ପଦରୁ ହଟାଇବା କିମ୍ବା ତାଙ୍କ ଇସ୍ତଫା ନେବା ନେଇ ସରକାରଙ୍କ କୌଣସି ବିଚାର ନାହିଁ।