ନୂଆଦିଲ୍ଲୀ: ଭାରତୀୟ ରେଳବାଇର ସବୁଜ ପରିବହନ ଦିଗରେ ଆଉ ଏକ ବଡ଼ ସଫଳତା ହାସଲ ହୋଇଛି। ହରିୟାଣାର ଜିନ୍ଦ–ସୋନିପତ ରେଳ ସେକ୍ସନ୍ରେ ଚଳିତ ମାସର ୧୭ ତାରିଖରୁ ପରୀକ୍ଷାମୂଳକ ଚଳାଚଳ ଆରମ୍ଭ କରିଥିବା ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ ଇତିମଧ୍ୟରେ ୧,୨୦୦ କିଲୋମିଟର ଯାତ୍ରା ସଫଳତାର ସହ ପୂରଣ କରିଛି।
ରେଳବାଇର ସୂଚନା ଅନୁସାରେ, ଏହି ଅବଧି ମଧ୍ୟରେ ଟ୍ରେନ୍ଟି ୩,୫୦୦ ଲିଟରରୁ ଅଧିକ ଡିଜେଲ ସଞ୍ଚୟ କରିବାରେ ସକ୍ଷମ ହୋଇଛି। ପାରମ୍ପରିକ ଡିଜେଲ ଇଞ୍ଜିନ୍ ପରିବର୍ତ୍ତେ ଏହି ଟ୍ରେନ୍ରେ ହାଇଡ୍ରୋଜେନ୍କୁ ଇନ୍ଧନ ଭାବେ ବ୍ୟବହାର କରାଯାଉଛି। ଫଳରେ ଏହାରୁ କେବଳ ଜଳୀୟ ବାଷ୍ପ ନିର୍ଗତ ହେଉଥିବାରୁ ପରିବେଶ ପ୍ରଦୂଷଣ ମଧ୍ୟ ଉଲ୍ଲେଖନୀୟ ଭାବେ କମିଥାଏ।
ଏହି ଅତ୍ୟାଧୁନିକ ଟ୍ରେନ୍ରେ ୧୦ଟି ବଗି ସହ ଦୁଇଟି ହାଇଡ୍ରୋଜେନ୍ ପାୱାର କାର୍ ରହିଛି। ଏହି ପାୱାର କାର୍ଗୁଡ଼ିକ ମିଶି ୨,୪୦୦ କିଲୋୱାଟ୍ ଶକ୍ତି ଉତ୍ପାଦନ କରୁଛି। ଏହା ସହ ଟ୍ରେନ୍ରେ ଲିଥିୟମ୍-ଆୟନ୍ ଫସ୍ଫେଟ୍ ବ୍ୟାଟେରି ଏବଂ ହାଇଡ୍ରୋଜେନ୍ ସିଲିଣ୍ଡର ସଂଯୋଜନ କରାଯାଇଛି, ଯାହା ଟ୍ରେନ୍ର ନିରବଚ୍ଛିନ୍ନ ଚଳାଚଳକୁ ସୁନିଶ୍ଚିତ କରୁଛି।
ଟ୍ରେନ୍ର ଇନ୍ଧନ ଯୋଗାଣ ପାଇଁ ହରିୟାଣାର ଜିନ୍ଦ ଠାରେ ଏକ ସ୍ୱତନ୍ତ୍ର ହାଇଡ୍ରୋଜେନ୍ ସଂରକ୍ଷଣ ଓ ଇନ୍ଧନ ଭର୍ତ୍ତି କେନ୍ଦ୍ର ସ୍ଥାପନ କରାଯାଇଛି। ହାଇଡ୍ରୋଜେନ୍ ପରି ଅତ୍ୟଧିକ ଦାହ୍ୟ ଇନ୍ଧନର ବ୍ୟବହାରକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି, ଯାହା ଜରୁରୀ ପରିସ୍ଥିତିରେ ତୁରନ୍ତ ପଦକ୍ଷେପ ନେବାରେ ସହାୟକ ହେବ।
ଭାରତୀୟ ରେଳବାଇର ଏହି ହାଇଡ୍ରୋଜେନ୍ ଟ୍ରେନ୍ ପ୍ରକଳ୍ପକୁ ଦେଶର ପରିବେଶ ଅନୁକୂଳ ଓ ସ୍ୱଚ୍ଛ ପରିବହନ ବ୍ୟବସ୍ଥା ଗଠନ ଦିଗରେ ଏକ ମାଇଲଖୁଣ୍ଟ ବୋଲି ଦେଖାଯାଉଛି। ଭବିଷ୍ୟତରେ ଏପରି ଟ୍ରେନ୍ର ସଂଖ୍ୟା ବୃଦ୍ଧି ପାଇଲେ ଡିଜେଲ ଉପରେ ନିର୍ଭରଶୀଳତା କମିବା ସହ କାର୍ବନ୍ ନିର୍ଗମନ ହ୍ରାସ ପାଇବ ବୋଲି ଆଶା କରାଯାଉଛି।




