ଭୁବନେଶ୍ୱର: ସାଳନ୍ଦୀ, ବୈତରଣୀ ଓ ଜଳକା ନଦୀର ବନ୍ୟା ପରେ ଏବେ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିବାର ଆଶଙ୍କା ରହିଛି। ବର୍ତ୍ତମାନ ମୁଣ୍ଡଳୀ ନିକଟରେ ପ୍ରାୟ ୮ ଲକ୍ଷ ୨୮ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବାରୁ ମହାନଦୀର ବିଭିନ୍ନ ଶାଖା ନଦୀରେ ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ ହୋଇଛି। ଏହାର ପ୍ରଭାବରେ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାର ବାଙ୍କୀ ଅଞ୍ଚଳ ପ୍ରଭାବିତ ହେବାର ସମ୍ଭାବନା ରହିଥିବା ବେଳେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଥିବା ସୂଚନା ମିଳିଛି।
ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି ଯେ, ବର୍ତ୍ତମାନ ବିଭାଗର ମୁଖ୍ୟ ନଜର ମହାନଦୀ ଉପରେ ରହିଛି। ହୀରାକୁଦ ଜଳଭଣ୍ଡାରର ୨ଟି ଗେଟ୍ ଖୋଲାଯାଇଥିବାବେଳେ ଜଳସ୍ତର ୬୨୦ ଫୁଟ୍ ରହିଛି। ତଳମୁଣ୍ଡରେ ବନ୍ୟା ପରିସ୍ଥିତି ଥିବାରୁ ଅଧିକ ଗେଟ୍ ଏବେ ଖୋଲାଯାଇନାହିଁ। ତେବେ ଜଳସ୍ତର ୬୨୨ ଫୁଟ୍ ପର୍ଯ୍ୟନ୍ତ ନିୟନ୍ତ୍ରଣରେ ରଖିବା ସମ୍ଭବ ବୋଲି ସେ କହିଛନ୍ତି।
୨୪ ଘଣ୍ଟା ରହିବ ବନ୍ୟାର ପ୍ରଭାବ
ଦିଲ୍ଲୀପ ରାଉତଙ୍କ ସୂଚନା ଅନୁଯାୟୀ, ଆଗାମୀ ୨୪ ଘଣ୍ଟା ମହାନଦୀ ଓ ଏହାର ଶାଖା ନଦୀଗୁଡ଼ିକରେ ବନ୍ୟା ପରିସ୍ଥିତି ରହିପାରେ। ଜଳବନ୍ଦୀ ସମସ୍ୟାକୁ ଦୃଷ୍ଟିରେ ରଖି ଅଭିଜ୍ଞ ଅଧିକାରୀମାନଙ୍କୁ ବିଭିନ୍ନ ପ୍ରଭାବିତ ଅଞ୍ଚଳରେ ଦାୟିତ୍ୱ ଦିଆଯାଇଛି।
ଏହି ଅଞ୍ଚଳଗୁଡ଼ିକ ପ୍ରଭାବିତ ହୋଇପାରେ
ପ୍ରାଥମିକ ଆକଳନ ଅନୁଯାୟୀ, ପୁରୀ ଜିଲ୍ଲାର କଣାସ, ଡେଲାଙ୍ଗ, ବ୍ରହ୍ମଗିରି, ନିମାପଡ଼ା, ଅସ୍ତରଙ୍ଗ ଓ ଗୋପ, ଜଗତସିଂହପୁର ଜିଲ୍ଲାର କୁଜଙ୍ଗ, ତିର୍ତ୍ତୋଲ, ବାଲିକୁଦା ଓ ଏରସମା, କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ଓ ଆଳି, ସେହିପରି କଟକ ଜିଲ୍ଲାର ବାଙ୍କୀ ଅଞ୍ଚଳ ବନ୍ୟା ପ୍ରଭାବରେ ଆସିପାରେ।
ସମୁଦ୍ରରେ ଜୁଆର ଯୋଗୁଁ ପାଣି ନିଷ୍କାସନରେ ବିଳମ୍ବ
ଜଳସମ୍ପଦ ବିଭାଗ କହିଛି ଯେ, ପୂର୍ଣ୍ଣିମା ପରବର୍ତ୍ତୀ ଜୁଆର କାରଣରୁ ସମୁଦ୍ରକୁ ବନ୍ୟାଜଳ ନିଷ୍କାସନରେ ବିଳମ୍ବ ହେଉଛି। ଏହି କାରଣରୁ ପ୍ରଭାବିତ ଅଞ୍ଚଳରୁ ପାଣି ସମ୍ପୂର୍ଣ୍ଣ ନିଷ୍କାସନ ହେବାକୁ ଏକରୁ ଦୁଇ ଦିନ ସମୟ ଲାଗିପାରେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରଶାସନ ପକ୍ଷରୁ ନଦୀକୂଳବର୍ତ୍ତୀ ଅଞ୍ଚଳର ଲୋକମାନଙ୍କୁ ସତର୍କ ରହିବା, ସ୍ଥାନୀୟ ପ୍ରଶାସନର ପରାମର୍ଶ ମାନିବା ଏବଂ ଆବଶ୍ୟକ ପଡ଼ିଲେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ହେବାକୁ ଅନୁରୋଧ କରାଯାଇଛି।




