ଭୁବନେଶ୍ୱର: ରାଜ୍ୟର ବନ୍ୟା ପରିସ୍ଥିତିକୁ ଆକାଶମାର୍ଗରୁ ସମୀକ୍ଷା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ହେଲିକପ୍ଟର ଯୋଗେ ଯାଜପୁର, ଭଦ୍ରକ, ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାର ବନ୍ୟା ଏବଂ ଜଳବନ୍ଦୀ ଅଞ୍ଚଳ ପରିଦର୍ଶନ କରି ସେ ସ୍ଥିତିର ଆକଳନ କରିଛନ୍ତି। ଏହି ଗସ୍ତରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଏବଂ ଏସ୍ଆର୍ସି ରାଜେଶ ପ୍ରଭାକର ପାଟିଲ ମଧ୍ୟ ସାମିଲ ଥିଲେ।
ଗସ୍ତ ପୂର୍ବରୁ ଲୋକସେବା ଭବନରେ ମନ୍ତ୍ରୀ ସମସ୍ତ ଜିଲ୍ଲାପାଳ ଓ ବନ୍ୟା ପରିଚାଳନା ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀମାନଙ୍କ ସହ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିଥିଲେ।

୫ ଜିଲ୍ଲାର ୫.୮୭ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ
ସମୀକ୍ଷା ପରେ ସୁରେଶ ପୂଜାରୀ ସୂଚନା ଦେଇ କହିଛନ୍ତି ଯେ, ବନ୍ୟାରେ ୫ ଜିଲ୍ଲାର ୫ ଲକ୍ଷ ୮୭ ହଜାର ୮୨୨ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୭୬ ହଜାର ୭୩ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବନ୍ୟା ଜନିତ ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମଧ୍ୟ ସେ ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି, ଭଦ୍ରକ, ବାଲେଶ୍ୱର ଓ ଯାଜପୁର ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବାବେଳେ ମୟୂରଭଞ୍ଜ ଓ କେନ୍ଦୁଝର ଆଂଶିକ ଭାବେ ପ୍ରଭାବିତ ହୋଇଛି। ବର୍ତ୍ତମାନ ପ୍ରାୟ ୧ ଲକ୍ଷ ୬୫ ହଜାର ଲୋକ ବିଭିନ୍ନ ରିଲିଫ୍ ସେଣ୍ଟରରେ ଆଶ୍ରୟ ନେଇଛନ୍ତି।
ମହାନଦୀ ପାଇଁ କଟକ ଓ ଜଗତସିଂହପୁରରେ ବିଶେଷ ପ୍ରସ୍ତୁତି
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ମହାନଦୀର ବଢ଼ୁଥିବା ଜଳସ୍ତରକୁ ଦୃଷ୍ଟିରେ ରଖି କଟକ ଓ ଜଗତସିଂହପୁର ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୦ ଫୁଟ୍ ରହିଥିବାବେଳେ ୨ଟି ଗେଟ୍ ଖୋଲା ରହିଛି। ଜଳସ୍ତରକୁ ୬୨୨ ଫୁଟ୍ ପର୍ଯ୍ୟନ୍ତ ସୁରକ୍ଷିତ ଭାବେ ରଖିହେବ ବୋଲି ସେ କହିଛନ୍ତି।
ସେ କହିଛନ୍ତି, ମୁଣ୍ଡଳୀରେ ପୂର୍ବରୁ ପ୍ରାୟ ସାଢ଼େ ୬ ଲକ୍ଷ କ୍ୟୁସେକ୍ ଜଳ ପହଞ୍ଚିଥିବାବେଳେ ରାତି ସୁଦ୍ଧା ନରାଜରେ ପ୍ରାୟ ୯ ଲକ୍ଷ କ୍ୟୁସେକ୍ ଜଳ ପହଞ୍ଚିବାର ସମ୍ଭାବନା ରହିଛି। ସେଣ୍ଟ୍ରାଲ ୱାଟର କମିଶନର ସୂଚନା ଅନୁଯାୟୀ, ମୁଣ୍ଡଳୀରେ ଜଳସ୍ତର ସତର୍କ ସ୍ତର (Warning Level) ଉପରେ ରହିଥିଲେ ମଧ୍ୟ ବିପଦ ସଙ୍କେତ (Danger Level) ଅତିକ୍ରମ କରିନାହିଁ।
ବର୍ଷା କମିଛି, ୩ ଦିନ ପର୍ଯ୍ୟନ୍ତ ବଡ଼ ବର୍ଷା ସମ୍ଭାବନା ନାହିଁ
ରାଜ୍ୟରେ ବର୍ତ୍ତମାନ ବର୍ଷାର ପ୍ରଭାବ କମିଥିବାବେଳେ ନବରଙ୍ଗପୁର, କୋରାପୁଟ, ବଲାଙ୍ଗୀର ଓ କଳାହାଣ୍ଡିର କିଛି ସ୍ଥାନରେ ହାଲୁକା ବର୍ଷା ଜାରି ରହିଛି। ଆଗାମୀ ୩ ଦିନ ମଧ୍ୟରେ ବଡ଼ ଧରଣର ବର୍ଷାର ସମ୍ଭାବନା ନଥିବାବେଳେ, ଅଗଷ୍ଟ ୨ ତାରିଖ ପରେ ପୁଣି ବର୍ଷା ବଢ଼ିପାରେ ବୋଲି ଆକଳନ କରାଯାଇଛି।
ସେ ଆହୁରି କହିଛନ୍ତି ଯେ, ଛତିଶଗଡ଼ର ଉପରମୁଣ୍ଡରେ ବର୍ଷା କମ୍ ଥିବାରୁ ବର୍ତ୍ତମାନ ପାଇଁ ମହାନଦୀରେ ଅତିରିକ୍ତ ଜଳପ୍ରବାହର ବଡ଼ ଆଶଙ୍କା ନାହିଁ। ତଥାପି ନରାଜରେ ଜଳପ୍ରବାହ ୧୦ ଲକ୍ଷ କ୍ୟୁସେକ୍ ଅତିକ୍ରମ ନ କରିବା ପାଇଁ ଜଳ ପରିଚାଳନା ଉପରେ ବିଶେଷ ନଜର ରଖାଯାଇଥିବା ସେ ସ୍ପଷ୍ଟ କରିଛନ୍ତି।




