ଭୁବନେଶ୍ୱର: ଚାଷୀଙ୍କ ଋଣ ପରିଶୋଧ ଟଙ୍କା ହଡ଼ପ ଅଭିଯୋଗରେ ଜଣେ ପୂର୍ବତନ ସେବା ସମବାୟ ସମିତି ସମ୍ପାଦକଙ୍କୁ ଗିରଫ କରିଛି ଭିଜିଲାନ୍ସ। ଅଭିଯୁକ୍ତ ହେଲେ କଟକ ଜିଲ୍ଲାର ଆନନ୍ଦପୁର ସେବା ସମବାୟ ସମିତି (SCS)ର ପୂର୍ବତନ ସମ୍ପାଦକ ଶରତ କୁମାର ନାୟକ। ତଦନ୍ତରୁ ସେ ସମିତିର ପ୍ରାୟ ୨୧ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଜଣାପଡ଼ିଛି।

ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବାଙ୍କୀ ପିଏସି ଅଧୀନରେ ଥିବା ଆନନ୍ଦପୁର ସେବା ସମବାୟ ସମିତିର କୃଷକ ସଦସ୍ୟମାନଙ୍କଠାରୁ ଆଦାୟ ହୋଇଥିବା ଋଣ ପରିଶୋଧ ଟଙ୍କାକୁ ଶରତ ହଡ଼ପ କରିଥିବା ଅଭିଯୋଗ ହୋଇଛି।

ସରକାରୀ ହିସାବରେ ହେରଫେର ଅଭିଯୋଗ

ଅଭିଯୋଗ ଅନୁଯାୟୀ, ଚାଷୀଙ୍କଠାରୁ ଆଦାୟ ହୋଇଥିବା ଟଙ୍କାକୁ ଦୈନିକ ଆଦାୟ ଖାତାରେ ଲେଖାଯାଇଥିଲେ ମଧ୍ୟ ସରକାରୀ ହିସାବଖାତାରେ ହେରଫେର କରାଯାଇଥିଲା। ବାସ୍ତବରେ ଆଦାୟ ହୋଇଥିବା ଟଙ୍କାଠାରୁ କମ୍‌ ଟଙ୍କା ଆଦାୟ ହୋଇଥିବା ଦର୍ଶାଇ ଅର୍ଥ ହଡ଼ପ କରାଯାଇଥିବା ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି।

ଅଭିଯୁକ୍ତ ଶରତ କୁମାର ନାୟକ ୨୧ ଲକ୍ଷ ୨୮ ହଜାର ୦୫୮ ଟଙ୍କା ନିଜ ବ୍ୟକ୍ତିଗତ ବ୍ୟାଙ୍କ ଖାତାରେ ଜମା କରିଥିବା ତଦନ୍ତରେ ଜଣାପଡ଼ିଛି।

ଏହି ଅଭିଯୋଗକୁ ଆଧାର କରି କଟକ ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନର ସମ୍ପୃକ୍ତ ଧାରା ସମେତ ଭାରତୀୟ ଦଣ୍ଡ ସଂହିତାର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି।

ଗିରଫ ପରେ ଶରତ କୁମାର ନାୟକଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି। ମାମଲାରେ ଅଧିକ ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି।