ନୂଆଦିଲ୍ଲୀ: ଦେଶରେ କ୍ୟାନ୍ସର ରୋଗୀଙ୍କ ଚିହ୍ନଟ, ଚିକିତ୍ସା ଓ ତଥ୍ୟ ସଂଗ୍ରହ ବ୍ୟବସ୍ଥାରେ ସମାନତା ଆଣିବା ଲକ୍ଷ୍ୟରେ କ୍ୟାନ୍ସରକୁ ‘ସୂଚନୀୟ ରୋଗ’ ବା ଅନିବାର୍ଯ୍ୟ ଭାବେ ରିପୋର୍ଟ କରିବାକୁ ପଡ଼ୁଥିବା ରୋଗ ଭାବେ ଘୋଷଣା କରିବା ନେଇ ଅବଶିଷ୍ଟ ୧୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିଷ୍ପତ୍ତି ନେବାକୁ ସୁପ୍ରିମ୍କୋର୍ଟ କହିଛନ୍ତି। ଏଥିସହ ନିଷ୍ପତ୍ତି ନେଇ ଅନୁପାଳନ ସତ୍ୟପାଠ ଦାଖଲ କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ମଙ୍ଗଳବାର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ବିଚାରପତି ଭି. ମୋହନାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଶୁଣାଣି ସମୟରେ ଜଣାପଡ଼ିଥିଲା ଯେ, ଦେଶର ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ୧୭ଟି ଏହି ବ୍ୟବସ୍ଥା ଲାଗୁ କରିସାରିଛନ୍ତି।
ଦେଶରେ ସମାନ ନୀତି ଆବଶ୍ୟକ
କ୍ୟାନ୍ସରକୁ ସାରା ଦେଶରେ ଅନିବାର୍ଯ୍ୟ ଭାବେ ରିପୋର୍ଟ କରାଯିବାକୁ ଥିବା ରୋଗ ଘୋଷଣା କରିବା ଦାବିରେ ଦାଖଲ ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଅନିଲ କୌଶିକ କୋର୍ଟଙ୍କୁ କହିଥିଲେ ଯେ ସ୍ୱାସ୍ଥ୍ୟ ରାଜ୍ୟ ତାଲିକାର ବିଷୟ। ଏହି କାରଣରୁ ବିଭିନ୍ନ ରାଜ୍ୟରେ ଭିନ୍ନ ବ୍ୟବସ୍ଥା ରହିଛି।
ଏହାପରେ ପ୍ରଧାନ ବିଚାରପତି ପ୍ରଶ୍ନ କରିଥିଲେ ଯେ, ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ବାଧ୍ୟତାମୂଳକ ନିର୍ଦ୍ଦେଶାବଳୀ କାହିଁକି ଜାରି କରାଯାଇପାରିବ ନାହିଁ। ଦେଶରେ ଏନେଇ ଏକ ସମାନ ନୀତି ରହିବା ଆବଶ୍ୟକ ବୋଲି ଖଣ୍ଡପୀଠ ମତ ଦେଇଥିଲେ।
କାହିଁକି ଗୁରୁତ୍ୱପୂର୍ଣ୍ଣ ଏହି ନିର୍ଦ୍ଦେଶ?
କ୍ୟାନ୍ସରର ଅନିବାର୍ଯ୍ୟ ରିପୋର୍ଟିଂ ବ୍ୟବସ୍ଥା ରହିଲେ ଦେଶରେ କ୍ୟାନ୍ସର ରୋଗୀ ଓ ମୃତ୍ୟୁ ସମ୍ପର୍କିତ ତଥ୍ୟ ଅଧିକ ସଠିକ୍ ଭାବେ ସଂଗ୍ରହ କରାଯାଇପାରିବ। ଏହି ତଥ୍ୟ ଆଧାରରେ ରୋଗର ପ୍ରସାର, ଚିକିତ୍ସା ଆବଶ୍ୟକତା ଓ ସ୍ୱାସ୍ଥ୍ୟ ନୀତି ପ୍ରସ୍ତୁତିରେ ସହାୟତା ମିଳିବ।
ଏହି ମାମଲାରେ ଦେଶବ୍ୟାପୀ ଅନିବାର୍ଯ୍ୟ ରିପୋର୍ଟିଂ ସହ ଏକ କେନ୍ଦ୍ରୀକୃତ ଏବଂ ନିୟମିତ ଭାବେ ଅଦ୍ୟତନ ହେଉଥିବା ଡିଜିଟାଲ କ୍ୟାନ୍ସର ରେଜିଷ୍ଟ୍ରି ପ୍ରସ୍ତୁତ କରିବାକୁ ମଧ୍ୟ ଦାବି ହୋଇଛି।
ଜନସ୍ୱାର୍ଥ ମାମଲାରୁ ଆସିଛି ପ୍ରସଙ୍ଗ
ଏମ୍ସ ନୂଆଦିଲ୍ଲୀର ସର୍ଜିକାଲ ଡିସିପ୍ଲିନ୍ସ ବିଭାଗର ପୂର୍ବତନ ମୁଖ୍ୟ ଡାକ୍ତର ଅନୁରାଗ ଶ୍ରୀବାସ୍ତବଙ୍କ ଜନସ୍ୱାର୍ଥ ଆବେଦନରୁ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ତାଙ୍କ ପକ୍ଷରୁ ଆଇନଜୀବୀ ଗୌରବ କୁମାର ବଂଶଲ ଆବେଦନ ଦାଖଲ କରିଥିଲେ।
୨୦୨୫ ଡିସେମ୍ବର ୧୨ରେ ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାରଙ୍କ ସମେତ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଠାରୁ ଏହି ପ୍ରସଙ୍ଗରେ ଜବାବ ମାଗିଥିଲେ।
ସଂସଦୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସ୍ଥାୟୀ କମିଟି ମଧ୍ୟ ଏହାର ୧୩୯ତମ ରିପୋର୍ଟରେ କ୍ୟାନ୍ସର ରୋଗ ଓ ମୃତ୍ୟୁ ସମ୍ପର୍କିତ ତଥ୍ୟରେ ଅଭାବ ଥିବା ଉଲ୍ଲେଖ କରିଥିଲା। କେତେକ କ୍ଷେତ୍ରରେ କ୍ୟାନ୍ସର ଯୋଗୁଁ ମୃତ୍ୟୁ ହୋଇଥିଲେ ମଧ୍ୟ ମୃତ୍ୟୁର ମୂଳ କାରଣ ଭାବେ ହୃଦ୍-ଶ୍ୱାସକ୍ରିୟା ବନ୍ଦ ହେବା ଭଳି କାରଣ ଦର୍ଶାଯାଉଥିବାରୁ ତଥ୍ୟରେ ତ୍ରୁଟି ରହୁଥିବା କମିଟି କହିଥିଲା।
ଏହି ସୁପାରିସ ଓ ମାମଲାର ପ୍ରସଙ୍ଗକୁ ବିଚାର କରି ଅବଶିଷ୍ଟ ୧୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନିଜ ନିଜ ସ୍ତରରେ ଉପଯୁକ୍ତ ନିଷ୍ପତ୍ତି ନେବାକୁ ସୁପ୍ରିମ୍କୋର୍ଟ କହିଛନ୍ତି।




