ମଦନପୁର ରାମପୁର: ଅପହରଣ ଓ ଲୁଟ ମାମଲାରେ ମ. ରାମପୁର ପୁଲିସ ୫ ଜଣଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନଙ୍କ ନିକଟରୁ ୪ଟି ବାଇକ୍‌, ୫ଟି ମୋବାଇଲ୍‌ ଫୋନ୍‌ ଏବଂ ୨୦ ହଜାର ଟଙ୍କା ଜବତ ହୋଇଛି।

ଗିରଫ ଅଭିଯୁକ୍ତମାନେ ହେଲେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଫଟାମୁଣ୍ଡା ଗ୍ରାମର ଅଶୋକ ସୁନା (୩୨), ମୁର୍ସୀଙ୍ଗ ଗ୍ରାମର ଭୁବନେଶ୍ୱର ଭୋଇ (୨୮), ଟିଟିଲାଗଡ଼ ଥାନା ଚନ୍ଦୁତରା ଗ୍ରାମର ପ୍ରତ୍ୟୁଷ ମିର୍ଦ୍ଧା (୨୭), ଦେଓଗାଁ ଥାନା ଧଣ୍ଡାମାଳ ଗ୍ରାମର ଅବିନାଶ ନାଗ ଏବଂ ବ୍ରଜବନ୍ଧୁ କାଲଫାଇ (୩୯)।

ଘାଟି ନିକଟରୁ ଯୁବକଙ୍କୁ ଅପହରଣ

ପୁଲିସ ସୂଚନା ଅନୁସାରେ, ଗତ ୯ ତାରିଖ ସକାଳେ ମ. ରାମପୁର ଥାନା ଅଞ୍ଚଳର ପାଜିକେରି ଗ୍ରାମର ଜଣେ ଯୁବକ ନିଜ ବନ୍ଧୁଙ୍କ ସହ ବାଇକ୍‌ରେ ଯାଉଥିଲେ। ରାମୁତ ଘାଟି ନିକଟରେ ଅଭିଯୁକ୍ତମାନେ ସେମାନଙ୍କୁ ଅଟକାଇଥିଲେ। ପରେ ଯୁବକଙ୍କୁ ଜୋରଜବରଦସ୍ତି ଏକ ନିର୍ଜନ ଜଙ୍ଗଲ ଅଞ୍ଚଳକୁ ନେଇଯାଇଥିବା ଅଭିଯୋଗ ହୋଇଛି।

ସେଠାରେ ଯୁବକଙ୍କୁ ମାଡ଼ ମାରିବା ସହ ତାଙ୍କ ନିକଟରୁ ୧୦ ହଜାର ଟଙ୍କା ଛଡ଼ାଇ ନେଇଥିଲେ। ଏହାପରେ ଅଭିଯୁକ୍ତମାନେ ପୀଡ଼ିତଙ୍କ ପରିବାର ସଦସ୍ୟଙ୍କୁ ଫୋନ୍‌ ଯୋଗେ ଯୋଗାଯୋଗ କରି ଆଉ ୧୦ ହଜାର ଟଙ୍କା ଫୋନ୍‌ପେ ମାଧ୍ୟମରେ ପଠାଇବାକୁ ବାଧ୍ୟ କରିଥିଲେ। ଟଙ୍କା ପାଇବା ପରେ ଯୁବକଙ୍କୁ ଛାଡ଼ି ଦେଇଥିବା ଜଣାପଡ଼ିଛି।

ଫୋନ୍‌ପେ ଲେନଦେନରୁ ମିଳିଲା ସୁରାକ

ପୀଡ଼ିତ ଘରକୁ ଫେରି ମ. ରାମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରି ୫ ଜଣଙ୍କୁ ଚିହ୍ନଟ କରିଥିଲା। ପରେ ସମସ୍ତଙ୍କୁ ଗିରଫ କରାଯାଇଛି।

ଅଭିଯୁକ୍ତମାନଙ୍କଠାରୁ ଲୁଟ୍‌ ହୋଇଥିବା ସମସ୍ତ ୨୦ ହଜାର ଟଙ୍କା, ବିଭିନ୍ନ ମୋବାଇଲ୍‌ ଫୋନ୍‌ ଏବଂ ଘଟଣାରେ ବ୍ୟବହୃତ ବାଇକ୍‌ଗୁଡ଼ିକ ଜବତ ହୋଇଛି। ଫୋନ୍‌ପେ ମାଧ୍ୟମରେ ହୋଇଥିବା ଲେନଦେନର ତଥ୍ୟ ମଧ୍ୟ ଯାଞ୍ଚ କରାଯାଉଥିବା ଆଇଆଇସି ସଂଯୁକ୍ତା ପ୍ରଧାନ ସୂଚନା ଦେଇଛନ୍ତି।