ଭୁବନେଶ୍ୱର: ଓଡ଼ିଶାରେ ଆଗାମୀ ଦିନରେ ସେମିକଣ୍ଡକ୍ଟର ଶିଳ୍ପ ନିଯୁକ୍ତି ଓ ଶିଳ୍ପ ବିକାଶରେ ବଡ଼ ଭୂମିକା ନେବ। ରାଜ୍ୟରେ ଅନୁମୋଦିତ ଦୁଇଟି ସେମିକଣ୍ଡକ୍ଟର ପ୍ରକଳ୍ପରୁ ପ୍ରାୟ ୧୨୮୦ଟି ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର କ୍ଷମତା ରହିଛି। ଏହା ସହିତ ଯୋଗାଣ ଶୃଙ୍ଖଳା ଓ ଆନୁଷଙ୍ଗିକ କ୍ଷେତ୍ରରେ ବହୁ ପରୋକ୍ଷ ନିଯୁକ୍ତି ମଧ୍ୟ ସୃଷ୍ଟି ହେବ।
ଲୋକସଭାରେ ପୁରୀ ସାଂସଦ ଡ. ସମ୍ବିତ ପାତ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଜିତନ ପ୍ରସାଦ ଓଡ଼ିଶାରେ ସେମିକଣ୍ଡକ୍ଟର ଶିଳ୍ପର ସମ୍ଭାବନା ସମ୍ପର୍କରେ ଏହି ସୂଚନା ଦେଇଛନ୍ତି।
ଓଡ଼ିଶାରେ ୨ଟି ପ୍ରକଳ୍ପକୁ ମଞ୍ଜୁରୀ
କେନ୍ଦ୍ରମନ୍ତ୍ରୀ କହିଛନ୍ତି, ସେମିକଣ୍ଡକ୍ଟର ଶିଳ୍ପର ଗୁରୁତ୍ୱକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୨୦୨୨ ଜାନୁଆରୀରେ ‘ସେମିକନ୍ ଇଣ୍ଡିଆ ପ୍ରୋଗ୍ରାମ’ ଆରମ୍ଭ କରିଥିଲେ। ସେମିକଣ୍ଡକ୍ଟର ଫ୍ୟାବ୍, ଡିସପ୍ଲେ ଫ୍ୟାବ୍, ପ୍ୟାକେଜିଂ ୟୁନିଟ୍ ସ୍ଥାପନ ସହ ଦେଶୀୟ ଚିପ୍ ଡିଜାଇନ୍କୁ ପ୍ରୋତ୍ସାହନ ଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ।
ଏହି ଯୋଜନା ଅଧୀନରେ ପ୍ରାୟ ୧.୬୪ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ସହ ୧୨ଟି ଉତ୍ପାଦନ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏଥିରୁ ଓଡ଼ିଶାରେ ଦୁଇଟି ପ୍ରକଳ୍ପ ସ୍ଥାପନ ହେଉଛି।
୩ଡି ଗ୍ଲାସ୍ ସୋଲ୍ୟୁସନ୍ସରେ ୨୮୦ରୁ ଅଧିକ ଚାକିରି
୩ଡି ଗ୍ଲାସ୍ ସୋଲ୍ୟୁସନ୍ସ ଇଙ୍କ୍ ଓଡ଼ିଶାରେ ଭର୍ଟିକାଲି ଇଣ୍ଟିଗ୍ରେଟେଡ୍ ଆଡଭାନ୍ସଡ୍ ପ୍ୟାକେଜିଂ ଏବଂ ଏମ୍ବେଡେଡ୍ ଗ୍ଲାସ୍ ସବଷ୍ଟ୍ରେଟ୍ ଉତ୍ପାଦନ ୟୁନିଟ୍ ସ୍ଥାପନ କରୁଛି। ଏହି ପ୍ରକଳ୍ପରେ ୨୮୦ରୁ ଅଧିକ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ପ୍ରକଳ୍ପରେ ପ୍ରତି ମାସରେ ପ୍ରାୟ ୫,୮୦୦ ଗ୍ଲାସ୍ ପ୍ୟାନେଲ୍ ସବଷ୍ଟ୍ରେଟ୍, ୪୨ ଲକ୍ଷ ଆସେମ୍ବଲି ୟୁନିଟ୍ ଏବଂ ୧,୧୦୦ଟି ୩ଡି ହେଟେରୋଜିନିୟସ୍ ଇଣ୍ଟିଗ୍ରେସନ୍ (3DHI) ୟୁନିଟ୍ ଉତ୍ପାଦନ କ୍ଷମତା ରହିବ।
ସିକ୍ସେମ୍ ପ୍ରକଳ୍ପରେ ପ୍ରାୟ ୧୦୦୦ ନିଯୁକ୍ତି
ସେହିପରି ସିକ୍ସେମ୍ ପ୍ରାଇଭେଟ୍ ଲିମିଟେଡ୍ ଓଡ଼ିଶାରେ ସିଲିକନ୍ କାର୍ବାଇଡ୍ (SiC) ଆଧାରିତ କମ୍ପାଉଣ୍ଡ ସେମିକଣ୍ଡକ୍ଟର ଫ୍ୟାବ୍ ଏବଂ ଆସେମ୍ବଲି, ଟେଷ୍ଟିଂ, ମାର୍କିଂ ଓ ପ୍ୟାକେଜିଂ (ATMP) ସୁବିଧା ସ୍ଥାପନ କରୁଛି।
ଏହି ୟୁନିଟ୍ର ମାସିକ ୫,୦୦୦ ୱେଫର୍ ଫ୍ୟାବ୍ରିକେସନ୍ ଏବଂ ୮୦ ଲକ୍ଷ ୟୁନିଟ୍ ପ୍ୟାକେଜିଂ କ୍ଷମତା ରହିବ। ଏଥିରୁ ପ୍ରାୟ ୧,୦୦୦ ପ୍ରତ୍ୟକ୍ଷ ନିଯୁକ୍ତି ସହ ବହୁ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ରହିଛି।
ଓଡ଼ିଶାର ୧୩ଟି ଅନୁଷ୍ଠାନକୁ ଚିପ୍ ଡିଜାଇନ୍ ପ୍ରଶିକ୍ଷଣ
ଚିପ୍ ଡିଜାଇନ୍ କ୍ଷେତ୍ରରେ ଦକ୍ଷ ମାନବସମ୍ବଳ ସୃଷ୍ଟି ପାଇଁ କେନ୍ଦ୍ର ସରକାର ‘ଚିପ୍ସ ଟୁ ଷ୍ଟାର୍ଟଅପ୍’ (C2S) କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହା ଅଧୀନରେ ଅତ୍ୟାଧୁନିକ ଇଲେକ୍ଟ୍ରୋନିକ୍ ଡିଜାଇନ୍ ଅଟୋମେସନ୍ (EDA) ଟୁଲ୍ ବିନା ମୂଲ୍ୟରେ ଉପଲବ୍ଧ କରାଯାଉଛି।
ଓଡ଼ିଶାର ଗଞ୍ଜାମ, ସୁନ୍ଦରଗଡ଼, ଖୋର୍ଦ୍ଧା, ସମ୍ବଲପୁର ଓ ରାୟଗଡ଼ା ଜିଲ୍ଲାର ୧୩ଟି ଅନୁଷ୍ଠାନକୁ C2S କାର୍ଯ୍ୟକ୍ରମ ଅଧୀନରେ ସହାୟତା ମିଳିଥିବା କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି।
ଚିପ୍ ଶିଳ୍ପକୁ ମିଳିବ ବ୍ୟାପକ ଗତି
ସେମିକଣ୍ଡକ୍ଟର ଶିଳ୍ପ ଏକ ମୌଳିକ ଶିଳ୍ପ ହୋଇଥିବାରୁ ଏହାର ପ୍ରଭାବ କେବଳ ଉତ୍ପାଦନ ୟୁନିଟ୍ରେ ସୀମିତ ରହିବ ନାହିଁ। ଯୋଗାଣ ଶୃଙ୍ଖଳା, ଲଜିଷ୍ଟିକ୍ସ, ଇଲେକ୍ଟ୍ରୋନିକ୍ସ ଓ ଆନୁଷଙ୍ଗିକ ଶିଳ୍ପରେ ମଧ୍ୟ ନୂଆ ନିଯୁକ୍ତି ଓ ବ୍ୟବସାୟିକ ସୁଯୋଗ ସୃଷ୍ଟି ହେବ। ଫଳରେ ଓଡ଼ିଶାରେ ଇଲେକ୍ଟ୍ରୋନିକ୍ସ ଓ ସେମିକଣ୍ଡକ୍ଟର ଶିଳ୍ପର ଭିତ୍ତି ଆହୁରି ମଜବୁତ ହେବାର ଆଶା ରହିଛି।




