ଭୁବନେଶ୍ୱର: ନାଇଜେରିଆର ଲାଗୋସ୍‌ରେ ଚାଲିଥିବା ରାଜ୍ୟଗୋଷ୍ଠୀ ପାରା ଅସିଚାଳନା ପ୍ରତିଯୋଗିତାରେ ଓଡ଼ିଶାର ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓଡ଼ିଶାର ୫ ଜଣ ପୁରୁଷ ଖେଳାଳି ଗୁରୁବାର ୨ ସ୍ୱର୍ଣ୍ଣ, ୧ ରୌପ୍ୟ ଓ ୨ କାଂସ୍ୟ ସହ ମୋଟ ୫ଟି ପଦକ ଜିତିଛନ୍ତି। ଏହା ପୂର୍ବରୁ ବୁଧବାର ଓଡ଼ିଶାର ମହିଳା ପାରା ଅସିଚାଳିକା ମାଳତି ପନାଉ ୨ଟି ସ୍ୱର୍ଣ୍ଣ ପଦକ ଜିତିଥିଲେ।

ଫଏଲ୍‌ ‘ଏ’ ବର୍ଗରେ ରମେଶଙ୍କୁ ସ୍ୱର୍ଣ୍ଣ

ପୁରୁଷ ଫଏଲ୍‌ ‘ଏ’ ବର୍ଗରେ ଓଡ଼ିଶାର ଭି. ରମେଶ ରାଓ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ରମେଶ କ୍ୱାର୍ଟରଫାଇନାଲ୍‌ରେ ଉଡୁନେୟେ ଓପଓଲୁୱାଙ୍କୁ ୧୫-୨ରେ ପରାସ୍ତ କରିଥିଲେ। ସେମିଫାଇନାଲ୍‌ରେ ନିଜ ରାଜ୍ୟର ପବିତ୍ର ସାହୁଙ୍କୁ ୧୫-୧୨ରେ ହରାଇ ଫାଇନାଲ୍‌ରେ ପହଞ୍ଚିଥିଲେ।

ଫାଇନାଲ୍‌ରେ ରମେଶ ୧୫-୧୦ରେ ପିଙ୍କୁଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଥିଲେ। ଏହି ବର୍ଗରେ ପବିତ୍ର ସାହୁ ଓ ରାଖାଲ କୁମାର ସେଠୀ କାଂସ୍ୟ ପଦକ ହାସଲ କରିଛନ୍ତି।

ଫଏଲ୍‌ ‘ବି’ ବର୍ଗରେ ଓଡ଼ିଶାର ସ୍ୱର୍ଣ୍ଣ-ରୌପ୍ୟ

ପୁରୁଷ ଫଏଲ୍‌ ‘ବି’ ବର୍ଗରେ ମଧ୍ୟ ଓଡ଼ିଶାକୁ ମିଳିଛି ସ୍ୱର୍ଣ୍ଣ ଓ ରୌପ୍ୟ ପଦକ। ଓମ୍‌ପ୍ରକାଶ ବେହେରା ସ୍ୱର୍ଣ୍ଣ ଏବଂ ରୁଦ୍ର ନାରାୟଣ ବେହେରା ରୌପ୍ୟ ପଦକ ଜିତିଛନ୍ତି।

ସ୍ୱର୍ଣ୍ଣ ପଦକ ପାଇଁ ହୋଇଥିବା ଫାଇନାଲ୍‌ ମୁକାବିଲାରେ ଓମ୍‌ପ୍ରକାଶ ୧୫-୫ରେ ରୁଦ୍ର ନାରାୟଣଙ୍କୁ ପରାସ୍ତ କରିଥିଲେ। ଉଭୟ ଖେଳାଳି ସେମିଫାଇନାଲ୍‌ରେ ନିଜ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରି ଫାଇନାଲ୍‌ରେ ପହଞ୍ଚିଥିଲେ।

ଓଡ଼ିଶାର ୬ ଖେଳାଳି, ସମସ୍ତେ ପଦକ ବିଜେତା

ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ମୋଟ ୬ ଜଣ ଖେଳାଳି ଭାରତର ପ୍ରତିନିଧିତ୍ୱ କରିଛନ୍ତି। ଗୁରୁବାର ୫ ଜଣ ପୁରୁଷ ଖେଳାଳି ୫ଟି ପଦକ ଜିତିଥିବା ବେଳେ ଏହା ପୂର୍ବରୁ ମାଳତି ପନାଉ ୨ଟି ସ୍ୱର୍ଣ୍ଣ ଜିତିଛନ୍ତି। ଅର୍ଥାତ୍‌ ଭାରତୀୟ ଦଳରେ ସାମିଲ ହୋଇଥିବା ଓଡ଼ିଶାର ସମସ୍ତ ୬ ଖେଳାଳି ପଦକ ଜିତିବାରେ ସଫଳ ହୋଇଛନ୍ତି।

ଏହି ସଫଳତା ପାଇଁ ପାରାଲିମ୍ପିକ୍‌ କମିଟି ଅଫ୍‌ ଇଣ୍ଡିଆ (PCI) ଏବଂ ଓଡ଼ିଶା ପାରା କ୍ରୀଡ଼ା ସଂଘ ପକ୍ଷରୁ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଯାଇଛି।