ନୂଆଦିଲ୍ଲୀ: ଆୟ ବହିର୍ଭୂତ ସମ୍ପତ୍ତି ସମ୍ପର୍କିତ ଅଭିଯୋଗରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)କୁ ତଦନ୍ତ କରିବାକୁ ଦିଆଯାଇଥିବା ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କଂଗ୍ରେସ ସାଂସଦ ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ଏଥିସହ ମାମଲାଟିକୁ ଆହ୍ଲାବାଦ ହାଇକୋର୍ଟରୁ ଦିଲ୍ଲୀ ହାଇକୋର୍ଟକୁ ସ୍ଥାନାନ୍ତର କରିବାକୁ ସେ ପୃଥକ ଆବେଦନ କରିଛନ୍ତି। ରାହୁଲଙ୍କ ଉଭୟ ଆବେଦନ ଉପରେ ଅଗଷ୍ଟ ୧୭ରେ ସୁପ୍ରିମକୋର୍ଟରେ ଶୁଣାଣି ହେବ।
ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ବିଚାରପତି ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ। ଉଭୟ ଆବେଦନ ଅଗଷ୍ଟ ୭ରେ ଦାଖଲ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି।
କ’ଣ ରହିଛି ଅଭିଯୋଗ?
ଏହି ମାମଲା କର୍ଣ୍ଣାଟକର ବିଜେପି କର୍ମୀ ଏସ୍. ଭିଗ୍ନେଶ ଶିଶିରଙ୍କ ଅଭିଯୋଗ ସହ ଜଡ଼ିତ। ରାହୁଲ ଗାନ୍ଧୀଙ୍କ ପାଖରେ ତାଙ୍କ ଜଣାଶୁଣା ଆୟ ଉତ୍ସଠାରୁ ଅଧିକ ସମ୍ପତ୍ତି ଥିବା ଅଭିଯୋଗ କରି ସେ ତଦନ୍ତ ଦାବି କରିଥିଲେ। ତେବେ ଏହା ଅଭିଯୋଗ ମାତ୍ର, ଏପର୍ଯ୍ୟନ୍ତ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅଭିଯୋଗ ପ୍ରମାଣିତ ହୋଇନାହିଁ।
ମେ’ ମାସରେ ଆହ୍ଲାବାଦ ହାଇକୋର୍ଟ ଅଭିଯୋଗଗୁଡ଼ିକୁ ଆଇନ ଅନୁସାରେ ଯାଞ୍ଚ କରିବାକୁ ସିବିଆଇ ଓ ଇଡିକୁ କହିଥିଲେ। ତଦନ୍ତ ସମୟରେ କୌଣସି ଅନିୟମିତତା କିମ୍ବା ଆଇନ ଉଲ୍ଲଂଘନ ସମ୍ପର୍କିତ ତଥ୍ୟ ମିଳିଲେ ଇଡି ଆଇନ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନେଇପାରିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଥିଲେ।
ଏବେ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ରାହୁଲ ଗାନ୍ଧୀ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଅଗଷ୍ଟ ୧୭ର ଶୁଣାଣି ପରେ ମାମଲାର ପରବର୍ତ୍ତୀ ଦିଗ ସ୍ପଷ୍ଟ ହେବ।




