ଜାକର୍ତ୍ତା: ଇଣ୍ଡୋନେସିଆରେ ଶନିବାର ସକାଳେ ଭୟଙ୍କର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ୭.୭ ତୀବ୍ରତାର ଏହି ଭୂମିକମ୍ପରେ ରିପୋର୍ଟ ଲେଖାଯିବା ବେଳକୁ ୩୮ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ରହିଛି। ଭୂମିକମ୍ପରେ ଶତାଧିକ ଲୋକ ଆହତ ହୋଇଥିବା ବେଳେ ବ୍ୟାପକ ଧନଜୀବନ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି।

ଭୂମିକମ୍ପର ତୀବ୍ରତା ଏତେ ଅଧିକ ଥିଲା ଯେ ପୂର୍ବ ଇଣ୍ଡୋନେସିଆର ଫ୍ଲୋରେସ୍ ଅଞ୍ଚଳ ସମେତ ବିଭିନ୍ନ ସ୍ଥାନରେ ଜୋରଦାର ଝଟକା ଅନୁଭୂତ ହୋଇଥିଲା। ଭୂମିକମ୍ପ ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।

ଜାରି ହୋଇଥିଲା ସୁନାମି ଚେତାବନୀ

ଭୂମିକମ୍ପର ତୀବ୍ରତାକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ସୁନାମି ଚେତାବନୀ ଜାରି କରିଥିଲେ। ଏହା ପରେ ଉପକୂଳବର୍ତ୍ତୀ ଅଞ୍ଚଳରେ ଲୋକଙ୍କୁ ସତର୍କ କରାଯାଇଥିଲା।

ତେବେ ଭୂମିକମ୍ପ ପରେ ସମୁଦ୍ର ପତ୍ତନରେ କୌଣସି ଉଲ୍ଲେଖନୀୟ ପରିବର୍ତ୍ତନ ଦେଖା ନଯିବାରୁ ପ୍ରାୟ ତିନି ଘଣ୍ଟା ପରେ ସୁନାମି ଚେତାବନୀ ପ୍ରତ୍ୟାହାର କରାଯାଇଥିଲା। ଏହା ସତ୍ତ୍ୱେ ଉପକୂଳବର୍ତ୍ତୀ ଅଞ୍ଚଳରେ ସତର୍କତା ଅବଲମ୍ବନ କରାଯାଉଛି।

ଏବେ ଉଦ୍ଧାରକାରୀ ଦଳ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଭଗ୍ନାବଶେଷ ତଳେ ଫସିଥିବା ଲୋକଙ୍କୁ ଖୋଜିବା ସହ ଆହତଙ୍କୁ ଉଦ୍ଧାର କରୁଛନ୍ତି। ତେଣୁ ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।