ଭୁବନେଶ୍ୱର: ସ୍ୱାଧୀନତା ଦିବସ ଆସିଲେ ଦେଶପ୍ରେମରେ ଭରା ଅନେକ ହିନ୍ଦୀ ସିନେମାର ଗୀତ ଚାରିଆଡ଼େ ଗୁଞ୍ଜରିତ ହୁଏ। ଆଉ ଏହି ଗୀତଗୁଡ଼ିକ ମଧ୍ୟରେ ଅଭିନେତା, ନିର୍ମାତା ଓ ନିର୍ଦ୍ଦେଶକ ମନୋଜ କୁମାରଙ୍କ ସିନେମାର ଦେଶାତ୍ମବୋଧକ ଗୀତର ସ୍ଥାନ ସ୍ୱତନ୍ତ୍ର। ତାଙ୍କ ‘ଉପକାର’ର ‘ମେରେ ଦେଶ କି ଧରତୀ’, ‘ପୂରବ ଔର୍ ପଶ୍ଚିମ’ର ‘ହେ ପ୍ରୀତ୍ ଯହାଁ କି ରୀତ୍ ସଦା’ ଏବଂ ‘ଶହୀଦ୍’ର ‘ଏ ବତନ୍, ଏ ବତନ୍, ହମକୋ ତେରି କସମ୍’ ଭଳି ଗୀତ ଆଜି ବି ଲୋକଙ୍କ ମନରେ ଦେଶପ୍ରେମର ଭାବନା ଜାଗ୍ରତ କରେ।
ଦେଶପ୍ରେମ ଓ ସାମାଜିକ ପ୍ରସଙ୍ଗକୁ ନିଜ ସିନେମାର କାହାଣୀର ମୁଖ୍ୟ ଆଧାର କରିଥିବା ମନୋଜ କୁମାରଙ୍କୁ ବଲିଉଡ୍ର ‘ମିଷ୍ଟର ଭାରତ’ ଭାବେ ଜଣାଯାଏ। ଭାରତୀୟ ସିନେମା ପ୍ରତି ତାଙ୍କ ଅବଦାନ ପାଇଁ ସେ ଦାଦାସାହେବ ଫାଲ୍କେ ପୁରସ୍କାରରେ ସମ୍ମାନିତ ହୋଇଥିଲେ।
ହରିକିଷନ ଗୋସ୍ୱାମୀରୁ ହେଲେ ମନୋଜ କୁମାର
ମନୋଜ କୁମାରଙ୍କ ପ୍ରକୃତ ନାମ ହରିକିଷନ ଗୋସ୍ୱାମୀ। ୧୯୩୭ ଜୁଲାଇ ୨୪ରେ ପଞ୍ଜାବରେ ତାଙ୍କ ଜନ୍ମ ହୋଇଥିଲା। ତାଙ୍କୁ ୧୦ ବର୍ଷ ବୟସ ହୋଇଥିବା ସମୟରେ ପରିବାର ପଞ୍ଜାବ ଛାଡ଼ି ଦିଲ୍ଲୀ ଚାଲିଆସିଥିଲା। ପରିବାର ନୂଆଦିଲ୍ଲୀର ପଟେଲ ନଗରରେ ରହିବାକୁ ଲାଗିଥିଲେ। ମନୋଜ କୁମାର ହିନ୍ଦୁ କଲେଜରେ ପାଠପଢ଼ା ଆରମ୍ଭ କରି ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହୋଇଥିଲେ।
ଦିଲୀପ କୁମାରଙ୍କ ଥିଲେ ବଡ଼ ପ୍ରଶଂସକ
ପିଲାଦିନରୁ ମନୋଜ କୁମାର ସିନେମା ପ୍ରତି ଆକର୍ଷିତ ଥିଲେ। ବିଶେଷକରି ଅଭିନେତା ଦିଲୀପ କୁମାରଙ୍କ ସେ ଜଣେ ବଡ଼ ପ୍ରଶଂସକ ଥିଲେ ଏବଂ ତାଙ୍କ ଅନେକ ସିନେମା ଦେଖିଥିଲେ।
୧୯୪୯ରେ ଦିଲୀପ କୁମାରଙ୍କ ଅଭିନୀତ ‘ଶବନମ୍’ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମ ତାଙ୍କୁ ଖୁବ୍ ପ୍ରଭାବିତ କରିଥିଲା। ଫିଲ୍ମରେ ଦିଲୀପ କୁମାରଙ୍କ ଚରିତ୍ରର ନାମ ଥିଲା ‘ମନୋଜ’। ଏହି ଚରିତ୍ରରୁ ପ୍ରଭାବିତ ହୋଇ ହରିକିଷନ ଗୋସ୍ୱାମୀ ବଲିଉଡ୍ରେ ପ୍ରବେଶ କରିବା ସମୟରେ ନିଜର ସ୍କ୍ରିନ୍ ନାମ ‘ମନୋଜ କୁମାର’ ରଖିଥିଲେ।
ଏହିପରି ଭାବେ ହରିକିଷନ ଗୋସ୍ୱାମୀ ଭାରତୀୟ ସିନେମାରେ ‘ମନୋଜ କୁମାର’ ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ଗଢ଼ିଥିଲେ। ସ୍ୱାଧୀନତା ଦିବସ ଅବସରରେ ତାଙ୍କ ଦେଶପ୍ରେମଭିତ୍ତିକ ସିନେମା ଓ ଗୀତ ଆଜି ବି ତାଙ୍କୁ ଦର୍ଶକଙ୍କ ମନରେ ଜୀବନ୍ତ ରଖିଛି।




