ନୂଆଦିଲ୍ଲୀ: ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ଅବସରରେ କଂଗ୍ରେସ ମୁଖ୍ୟାଳୟ (AICC)ରେ ଜାତୀୟ ସଂଗୀତ ‘ବନ୍ଦେ ମାତରମ୍’ ଗାନକୁ ମଝିରୁ ବନ୍ଦ କରିବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗକୁ ନେଇ ଦେଶର ରାଜନୀତି ସରଗରମ ହୋଇଉଠିଛି। ଏହି ଘଟଣାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଂଗ୍ରେସ ଉପରେ କଠୋର ପ୍ରହାର କରିଛନ୍ତି।

ସୋନିଆ ଗାନ୍ଧୀ କ୍ଷମା ମାଗନ୍ତୁ: ଅମିତ ଶାହ

ରବିବାର ଚିତ୍ତୋଡ଼ଗଡ଼ଠାରେ ଆୟୋଜିତ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଭୋଟ୍-ବ୍ୟାଙ୍କ ରାଜନୀତି ଯୋଗୁଁ କଂଗ୍ରେସ ସ୍ୱାଧୀନତା ସଂଗ୍ରାମର ମୁଖ୍ୟ ମନ୍ତ୍ର ସାଜିଥିବା ଏହି ଅମର ସଂଗୀତକୁ ଭୁଲିଯାଇଛି। ସୋନିଆ ଗାନ୍ଧୀ ଏହି ଅବମାନନା ପାଇଁ ଦେଶବାସୀ ଏବଂ ‘ବନ୍ଦେ ମାତରମ୍’ର ରଚୟିତା ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ନିକଟରେ ହାତ ଯୋଡ଼ି ବିନା ସର୍ତ୍ତରେ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ଶାହ ଦାବି କରିଛନ୍ତି।

ଅନ୍ୟପଟେ ବଙ୍କିମଚନ୍ଦ୍ରଙ୍କ ପ୍ରତ୍ୟକ୍ଷ ବଂଶଧର ତଥା ନୈହାଟିର ବିଜେପି ବିଧାୟକ ସୁମିତ୍ର ଚାଟାର୍ଜୀ ମଧ୍ୟ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ବିନା ସର୍ତ୍ତରେ କ୍ଷମାପ୍ରାର୍ଥନା ପାଇଁ ଦାବି କରିଛନ୍ତି। ସେ ଏହି ଘଟଣାକୁ ୧୯୩୭ ମସିହାର ଐତିହାସିକ ଭୁଲ୍‌ର ପୁନରାବୃତ୍ତି ଏବଂ ଦେଶର ବୀର ଦେଶଭକ୍ତଙ୍କ ପ୍ରତି ଘୋର ଅପମାନ ବୋଲି ଦର୍ଶାଇଛନ୍ତି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ସୋନିଆ ଗାନ୍ଧୀ ଓ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ ‘ବନ୍ଦେ ମାତରମ୍’ ଗାନ ବନ୍ଦ କରିବାକୁ ଇଶାରା କରୁଥିବା ଦେଖାଯାଉଥିବା ନେଇ ଅଭିଯୋଗ ହୋଇଛି। ତେବେ କଂଗ୍ରେସ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛି। ଦଳ ପକ୍ଷରୁ ସଫାଇ ଦିଆଯାଇଛି ଯେ ସଂଗୀତ ବନ୍ଦ କରିବାକୁ ନୁହେଁ, ବରଂ ବୟସ୍କ ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ବସିବା ପାଇଁ ଚୌକି ଆଣିବାକୁ ଇଶାରା କରାଯାଉଥିଲା।