ପୁରୀ: ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ଅଠାବାଟିଆ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୀମା ଜମି ବିବାଦକୁ ନେଇ ଉତ୍ତେଜନା ଦେଖାଦେବା ସହ ପୁରୀ ମାଟିଆପଡ଼ାରେ କାର୍ଯ୍ୟରତ ରାଜସ୍ୱ ନିରୀକ୍ଷକ (ଆର.ଆଇ.) ଆଶୁତୋଷ ସାହୁଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି ମାରପିଟ୍‌ରେ ରାଜସ୍ୱ ନିରୀକ୍ଷକଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା ବେଳେ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଅଠାବାଟିଆ ଗ୍ରାମରେ ଆଶୁତୋଷ ସାହୁଙ୍କର ନିଜସ୍ୱ ଜମି ରହିଛି। ପଡ଼ୋଶୀଙ୍କ ସହ ଜମି ମାପଚୁପ ଓ ସୀମା ନିର୍ଦ୍ଧାରଣକୁ ନେଇ ଦୀର୍ଘ ଦିନରୁ ମନୋମାଳିନ୍ୟ ଚାଲିଆସୁଥିଲା। ପୂର୍ବରୁ ଉଭୟ ପକ୍ଷ ସମ୍ମତି ପ୍ରକାଶ କରିଥିଲେ ଯେ ଘରୋଇ ଅମିନ (ମାପକ) ଆଣି ଜମିର ସଠିକ୍ ସୀମା ନିର୍ଦ୍ଧାରଣ କରାଯିବ। ମାତ୍ର ଜମି ଜବରଦଖଲ ହୋଇଯିବା ଭୟରେ ଆଶୁତୋଷ ସୀମା ନିର୍ଦ୍ଧାରଣ ଶେଷ ହେବା ପୂର୍ବରୁ ନିଜ ଜମି ଚାରିପାଖରେ ପ୍ରାଚୀର ନିର୍ମାଣ କାମ ଆରମ୍ଭ କରିଦେଇଥିଲେ।

ଶନିବାର ରାତି ପ୍ରାୟ ୧୧ଟା ସମୟରେ ଆଶୁତୋଷ ନିଜେ ସେହି ନିର୍ମାଣାଧୀନ ପ୍ରାଚୀର ପାଖରେ ଜଗି ରହିଥିଲେ। ଏହି ସମୟରେ ବିପକ୍ଷ ଗୋଷ୍ଠୀର କିଛି ଲୋକ ସେଠାରେ ପହଞ୍ଚି ନିର୍ମାଣ କାର୍ଯ୍ୟକୁ ନେଇ ବିରୋଧ କରିଥିଲେ। ଦୁଇ ପକ୍ଷ ମଧ୍ୟରେ କଥାବାର୍ତ୍ତା ଉଗ୍ରରୂପ ନେଇଥିଲା ଏବଂ ଦେଖୁ ଦେଖୁ ଏହା ହାତାହାତିରେ ପରିଣତ ହୋଇଥିଲା। ବିପକ୍ଷ ଗୋଷ୍ଠୀର ଲୋକେ ଉତ୍ତ୍ୟକ୍ତ ହୋଇ ଆଶୁତୋଷଙ୍କୁ ଆକ୍ରମଣ କରିଥିଲେ, ଯାହା ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।

ଘଟଣା ସମ୍ପର୍କରେ ଖବର ପାଇ ପିପିଲି ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜନା ସ୍ଥିତିକୁ ନିୟନ୍ତ୍ରଣ କରିବା ସହ ରକ୍ତାକ୍ତ ଅବସ୍ଥାରେ ଆଶୁତୋଷଙ୍କୁ ଉଦ୍ଧାର କରି ହସପିଟାଲ ପଠାଇଥିଲା। ଏ ନେଇ ଆଶୁତୋଷଙ୍କ ପକ୍ଷରୁ ପିପିଲି ଥାନାରେ ଏକ ଲିଖିତ ଅଭିଯୋଗ ଦାୟର କରାଯାଇଛି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। କେଉଁ କାରଣରୁ ଏବଂ କେଉଁମାନେ ଏହି ଆକ୍ରମଣରେ ସାମିଲ ଥିଲେ, ସେ ନେଇ ପୋଲିସ ସ୍ଥାନୀୟ ଲୋକଙ୍କୁ ପଚରାଉଚରା ଚଳାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ବିରାଜମାନ କରିଛି।