କିବ୍: ୟୁକ୍ରେନ୍ ଉପରେ ରୁଷ୍ର ଆକ୍ରମଣ ଜାରି ରହିଥିବାବେଳେ ଭାରତୀୟ ଶିଳ୍ପପତି ଲକ୍ଷ୍ମୀ ମିତ୍ତଲଙ୍କ ମାଲିକାନାରେ ଥିବା ଆର୍ସେଲରମିତ୍ତଲ କ୍ରିଭି ରିହ ଷ୍ଟିଲ୍ ପ୍ଲାଣ୍ଟ ମଧ୍ୟ ରୁଷ୍ର କ୍ଷେପଣାସ୍ତ୍ର ଆକ୍ରମଣର ଶିକାର ହୋଇଛି। ଅଗଷ୍ଟ ୧୬ରେ କ୍ରିଭି ରିହ ସହରସ୍ଥିତ ଏହି ମାଇନିଂ ଓ ମେଟାଲର୍ଜିକାଲ୍ ପ୍ଲାଣ୍ଟ ଉପରେ ଆକ୍ରମଣ ହୋଇଥିବା କମ୍ପାନି ପକ୍ଷରୁ ସ୍ପଷ୍ଟ କରାଯାଇଛି।
କମ୍ପାନିର ସୂଚନା ଅନୁଯାୟୀ, ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ରୁ ଅଧିକ ଶ୍ରମିକ ଓ ଠିକାଦାର ଆହତ ହୋଇଛନ୍ତି। ଆକ୍ରମଣ ପରେ ପ୍ଲାଣ୍ଟର କିଛି କାର୍ଯ୍ୟକଳାପ ଆଂଶିକ ଭାବେ ବନ୍ଦ ରଖାଯାଇଛି।
ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନସ୍କିଙ୍କ ଅନୁଯାୟୀ, କ୍ରିଭି ରିହରେ ରୁଷ୍ର ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ସହ ୧୪ ଜଣ ଆହତ ହୋଇଛନ୍ତି। ଏହାସହ ଉତ୍ତର-ପୂର୍ବ ୟୁକ୍ରେନ୍ର ସୁମି ସହରରେ ମଧ୍ୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସେ କହିଛନ୍ତି।
ଆର୍ସେଲରମିତ୍ତଲ କ୍ରିଭି ରିହ ବିଶ୍ୱର ପ୍ରମୁଖ ଇସ୍ପାତ ଉତ୍ପାଦକ ଆର୍ସେଲରମିତ୍ତଲର ୟୁକ୍ରେନ୍ ୟୁନିଟ୍। କ୍ରିଭି ରିହରେ ଥିବା ଏହି ବୃହତ୍ ମାଇନିଂ ଓ ଷ୍ଟିଲ୍ କମ୍ପ୍ଲେକ୍ସ ୟୁକ୍ରେନ୍ର ଇସ୍ପାତ ଶିଳ୍ପରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରଖିଛି।
ରୁଷ୍ର ଏହି ଆକ୍ରମଣରେ ଶିଳ୍ପାଞ୍ଚଳ ସମେତ ୟୁକ୍ରେନ୍ର ବିଭିନ୍ନ ସ୍ଥାନରେ ପୁଣିଥରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି।




