ନୂଆଦିଲ୍ଲୀ: ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍‌ ଘୋଷଣା ପରେ କେନ୍ଦ୍ରର ମୋଦୀ ସରକାରରେ ସମ୍ଭାବ୍ୟ କ୍ୟାବିନେଟ୍ ପୁନର୍ଗଠନକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର୍‌ ଧରିଛି। ବିଶେଷକରି ବର୍ତ୍ତମାନର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଦଳର ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ଦାୟିତ୍ୱ ମିଳିବା ପରେ ଏହି ଚର୍ଚ୍ଚା ଅଧିକ ତୀବ୍ର ହୋଇଛି।

ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍‌ ଦଳର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ଦାୟିତ୍ୱ ଗ୍ରହଣ ପରେ ଘୋଷଣା କରାଯାଇଛି। ଏଥିରେ ଅଭିଜ୍ଞ ନେତାଙ୍କ ସହ କିଛି ପ୍ରମୁଖ ନେତାଙ୍କୁ ପୁଣିଥରେ କେନ୍ଦ୍ରୀୟ ସଂଗଠନରେ ସାମିଲ କରାଯାଇଛି।

ଗତ କିଛି ମାସ ଧରି ମୋଦୀ ସରକାରର କ୍ୟାବିନେଟ୍ ପୁନର୍ଗଠନକୁ ନେଇ ଚର୍ଚ୍ଚା ହୋଇଆସୁଛି। ଏବେ ବିଜେପିର ସାଂଗଠନିକ ପୁନର୍ବିନ୍ୟାସ ପରେ ଏହି ଚର୍ଚ୍ଚା ପୁଣି ତେଜ ହୋଇଛି।

ଗୋୟଲଙ୍କୁ ନେଇ କାହିଁକି ଚର୍ଚ୍ଚା?

ପୀୟୂଷ ଗୋୟଲ ପୂର୍ବରୁ ବିଜେପିର ଜାତୀୟ କୋଷାଧ୍ୟକ୍ଷ ଭାବେ ଦଳର ସଂଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି। ତେଣୁ ତାଙ୍କୁ ପୁଣିଥରେ ଦଳର ଏକ ପ୍ରମୁଖ ସାଂଗଠନିକ ଦାୟିତ୍ୱ ମିଳିବା ପରେ ମନ୍ତ୍ରିମଣ୍ଡଳରେ ତାଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି।

ବିଜେପିରେ ଚର୍ଚ୍ଚିତ ‘ଜଣେ ବ୍ୟକ୍ତି, ଗୋଟିଏ ପଦ’ ନୀତି ଅନୁଯାୟୀ, ଗୋୟଲଙ୍କୁ ମନ୍ତ୍ରିପଦରୁ ହଟାଇ ସମ୍ପୂର୍ଣ୍ଣ ଭାବେ ସଂଗଠନ ଦାୟିତ୍ୱ ଦିଆଯାଇପାରେ ବୋଲି କଳ୍ପନାଜଳ୍ପନା ଚାଲିଛି। ତେବେ ଏନେଇ ଦଳ ପକ୍ଷରୁ କୌଣସି ଅଧିକାରିକ ସ୍ପଷ୍ଟୀକରଣ ମିଳିନାହିଁ।

ବାଣିଜ୍ୟ ମନ୍ତ୍ରୀ ଭାବେ ଗୋୟଲଙ୍କ ଗୁରୁତ୍ୱ

ବର୍ତ୍ତମାନ ଗୋୟଲ କେନ୍ଦ୍ରର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି। ଆମେରିକା ସହ ଚାଲିଥିବା ମୁକ୍ତ ବାଣିଜ୍ୟ ଚୁକ୍ତି ଆଲୋଚନାରେ ମଧ୍ୟ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଗତ କିଛି ବର୍ଷ ମଧ୍ୟରେ ଭାରତ ଏକାଧିକ ମୁକ୍ତ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ କରିଥିବା ବେଳେ ଏହି କ୍ଷେତ୍ରରେ ଗୋୟଲଙ୍କ ଭୂମିକା ରହିଛି।

ଏଭଳି ସ୍ଥିତିରେ ତାଙ୍କୁ ମନ୍ତ୍ରିମଣ୍ଡଳରୁ ସମ୍ପୂର୍ଣ୍ଣ ଭାବେ ବାଦ୍‌ ଦେବା ସହଜ ହେବ ନାହିଁ ବୋଲି ରାଜନୈତିକ ମହଲରେ ମତ ପ୍ରକାଶ ପାଉଛି।

ନିର୍ବାଚନକୁ ନଜରରେ ରଖି ସଂଗଠନ ଦାୟିତ୍ୱ?

ଆଗାମୀ ଦିନରେ ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ବିଜେପି ସଂଗଠନକୁ ଆହୁରି ମଜଭୁତ କରିବା ଉପରେ ଗୁରୁତ୍ୱ ଦେଉଛି। ନିର୍ବାଚନୀ ଅର୍ଥ ପରିଚାଳନା ଓ ସାଂଗଠନିକ କାର୍ଯ୍ୟରେ ଗୋୟଲଙ୍କ ଦୀର୍ଘ ଅଭିଜ୍ଞତା ଥିବାରୁ ଦଳ ତାଙ୍କୁ ଅଧିକ ଦାୟିତ୍ୱ ଦେବାକୁ ଚାହୁଁଥାଇପାରେ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଉଛନ୍ତି।

ଏହା ଫଳରେ ଆଗାମୀ ଦିନରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳ କିମ୍ବା ପୁନର୍ଗଠନର ସମ୍ଭାବନା ନେଇ ଚର୍ଚ୍ଚା ଆହୁରି ବଢ଼ିଛି। ତେବେ ଗୋୟଲଙ୍କ ମନ୍ତ୍ରିପଦ କିମ୍ବା ତାଙ୍କ ଭବିଷ୍ୟତ ଭୂମିକା ସମ୍ପର୍କରେ ଅଧିକାରିକ ଘୋଷଣା ନ ହେବା ପର୍ଯ୍ୟନ୍ତ ଏହାକୁ କେବଳ ରାଜନୈତିକ କଳ୍ପନାଜଳ୍ପନା ଭାବେ ଦେଖାଯାଉଛି।