ବାରିପଦା: ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା, ଟଙ୍କା ନେବା ଏବଂ ପରବର୍ତ୍ତୀ ସମୟରେ ବନ୍ଧୁକ ଦେଖାଇ ଜୀବନରୁ ମାରିଦେବାର ଧମକ ଦେବା ଅଭିଯୋଗରେ ବାରିପଦା ଟାଉନ୍ ଥାନାରେ କାର୍ଯ୍ୟରତ ସବ୍-ଇନ୍ସପେକ୍ଟର (SI) ପ୍ରଭାତ କୁମାର ନାୟକଙ୍କୁ ଗିରଫ କରାଯାଇଛି। ପୁରୀ ଜିଲ୍ଲାର ଜଣେ ଯୁବତୀଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ସୂଚନା ଅନୁଯାୟୀ, ଫେସବୁକ୍ ମାଧ୍ୟମରେ ଯୁବତୀଜଣକ ଏସ.ଆଇ ପ୍ରଭାତ ନାୟକଙ୍କ ସମ୍ପର୍କରେ ଆସିଥିଲେ। ପରେ ପ୍ରଭାତ ତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଦୀର୍ଘଦିନ ଧରି ଶାରୀରିକ ସମ୍ପର୍କ ରଖିଥିଲେ। ତେବେ ଯୁବତୀଜଣକ ବିବାହ ପାଇଁ ଜିଦ୍ ଧରିବାରୁ ଏସ.ଆଇ ନାୟକ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ନିଜ ସର୍ଭିସ୍ ପିସ୍ତୋଲ ଦେଖାଇ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି।
ଏହି ଘଟଣା ନେଇ ଯୁବତୀଜଣକ ବାରିପଦା ଟାଉନ୍ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତୁରନ୍ତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ବାରିପଦା ସଦର SDPO ପ୍ରଭାତ କୁମାର ମଲ୍ଲିକଙ୍କ ସୂଚନା ଅନୁଯାୟୀ, ପୁରୀର ଜଣେ ଯୁବତୀଙ୍କ ଅଭିଯୋଗ କ୍ରମେ ଅଭିଯୁକ୍ତ ପୁଲିସ ଅଫିସରଙ୍କ ବିରୋଧରେ କେସ୍ ନଂ ୫୪୨/୨୦୨୬ ଅଧୀନରେ ମାମଲା ରୁଜୁ କରାଯାଇଛି।
ଅଭିଯୁକ୍ତ ସବ୍-ଇନ୍ସପେକ୍ଟରଙ୍କୁ ଗିରଫ କରାଯାଇ ଅଧିକ ତଦନ୍ତ ଚାଲିଥିବା ବେଳେ ଯୁବତୀଜଣକ ଘଟଣାର ଦୃଢ଼ ଓ ନିରପେକ୍ଷ ତଦନ୍ତ ସହ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହି ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।




