ମୁମ୍ବାଇ: ଦୀର୍ଘ ୧୦ ବର୍ଷ ଜିଧରି ପୁଲିସ୍ ବାହିନୀରେ ନିଷ୍ଠାର ସହ ସେବା ଯୋଗାଇ ଅବସର ନେଉଥିବା ସ୍ନିଫର୍ ଡଗ୍ସ (ପୁଲିସ୍ କୁକୁର) ମାନଙ୍କ ପାଇଁ ମହାରାଷ୍ଟ୍ର ସରକାର ଏକ ଐତିହାସିକ ନୀତି ପ୍ରଣୟନ କରିଛନ୍ତି।ଏଣିକି ଅବସର ପରେ ଏହି ସ୍ନିଫର୍ ଡଗ୍ସମାନଙ୍କୁ ଆଉ ଅନ୍ୟ କାହାକୁ ପୋଷ୍ୟ ଗ୍ରହଣ (ଅଡପ୍ସନ୍) ପାଇଁ ଦିଆଯିବ ନାହିଁ, ବରଂ ସେମାନେ ନିଜର ପୁରୁଣା ହ୍ୟାଣ୍ଡଲରଙ୍କ (ଯେଉଁ ପୁଲିସ କର୍ମଚାରୀ ସେମାନଙ୍କ ଦେଖାଶୋଖା କରୁଥିଲେ) ପାଖରେ ହିଁ ରହିବେ।ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଶନିବାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଷୟରେ ଘୋଷଣା କରିଛନ୍ତି।

ଏହି ନୂତନ ନୀତି ଅନୁଯାୟୀ, ଅବସରପ୍ରାପ୍ତ ସ୍ନିଫର୍ ଡଗ୍ସମାନଙ୍କର ସମସ୍ତ ଖାଦ୍ୟ, ସ୍ୱାସ୍ଥ୍ୟସେବା ଏବଂ ରହିବାର ସମ୍ପୂର୍ଣ୍ଣ ଖର୍ଚ୍ଚ ରାଜ୍ୟ ସ୍ୱରାଷ୍ଟ୍ର ବିଭାଗ ବହନ କରିବ।

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି, “ଯେଉଁ କୁକୁରମାନେ ୧୦ ବର୍ଷ ଧରି ନିରନ୍ତର ପୁଲିସ୍ ବାହିନୀରେ ସେବା କରିଛନ୍ତି, ଅବସର ପରେ ସେମାନଙ୍କୁ ଯନ୍ତ୍ରଣା ଭୋଗିବାକୁ ଦିଆଯିବ ନାହିଁ। ସେମାନଙ୍କର ଯତ୍ନ ନେବା ଏବଂ ସେମାନଙ୍କୁ ସମ୍ମାନର ସହ ବାକି ଜୀବନ ବିତାଇବାକୁ ସୁଯୋଗ ଦେବା ଆମର ଦାୟିତ୍ୱ।”

ମାନସିକ ଆଘାତରୁ ମିଳିବ ମୁକ୍ତି

ପୂର୍ବରୁ ଅବସର ପରେ ଏହି କୁକୁରମାନଙ୍କୁ ଅନ୍ୟ ସାଧାରଣ ଲୋକଙ୍କୁ ପ୍ରଦାନ କରାଯାଉଥିଲା।ଏହାଦ୍ୱାରା ଦୀର୍ଘ ଦିନର ହ୍ୟାଣ୍ଡଲରଙ୍କଠାରୁ ଅଲଗା ହୋଇ ସେମାନେ ଗଭୀର ମାନସିକ ଆଘାତ (ଟ୍ରମା) ସହିତ ଖାଦ୍ୟପେୟ ଛାଡ଼ି ଦେଉଥିଲେ।

ନୂତନ ନିୟମ ଅନୁଯାୟୀ:

  • କୁକୁରମାନେ ସେବାରୁ ଅବସର ନେଲେ ମଧ୍ୟ ପୁଲିସ୍ ବାହିନୀର ପରିବାରର ଅଂଶବିଶେଷ ହୋଇ ରହିବେ।
  • ସେମାନଙ୍କର ସମସ୍ତ ଚିକିତ୍ସା ଓ ନିତ୍ୟବ୍ୟବହାର୍ଯ୍ୟ ଖର୍ଚ୍ଚ ସରକାରୀ ପାଣ୍ଠିରୁ ଦିଆଯିବ।

ପୁଲିସ୍ ହ୍ୟାଣ୍ଡଲରମାନଙ୍କ ପାଇଁ ଏହା ଏକ ଭାବପ୍ରବଣ ମୁହୂର୍ତ୍ତ, କାରଣ ସେମାନେ ଏହି କୁକୁରମାନଙ୍କୁ କେବଳ ଏକ ପଶୁ ନୁହେଁ ବରଂ ନିଜର ସହକର୍ମୀ ଭାବେ ଗ୍ରହଣ କରିଥାନ୍ତି। ସରକାରଙ୍କ ଏହି ସମ୍ବେଦନଶୀଳ ନିଷ୍ପତ୍ତିକୁ ସବୁ ସ୍ତରରେ ପ୍ରଶଂସା କରାଯାଉଛି।