ନୂଆଦିଲ୍ଲୀ: ସଂରକ୍ଷଣ ବ୍ୟବସ୍ଥାକୁ ବିରୋଧ କରୁଥିବା କିମ୍ବା ଏହାକୁ ଉଚ୍ଛେଦ କରିବାକୁ ଦାବି କରୁଥିବା ଲୋକଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯିବା ଉଚିତ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାୱଲେ। ସଂରକ୍ଷଣ ଏକ ସାମ୍ବିଧାନିକ ଅଧିକାର ଏବଂ ଏହାକୁ ଉଚ୍ଛେଦ କରାଯାଇପାରିବ ନାହିଁ ବୋଲି ସେ ମତ ଦେଇଛନ୍ତି।
ରବିବାର ଜାରି ଏକ ବିବୃତିରେ ଅଠାୱଲେ କହିଛନ୍ତି ଯେ, ଦିଲ୍ଲୀର ଯନ୍ତର ମନ୍ତର ସମେତ ବିଭିନ୍ନ ସ୍ଥାନରେ ସଂରକ୍ଷଣ ବିରୋଧରେ ହୋଇଥିବା ପ୍ରତିବାଦ ଏହି ପ୍ରସଙ୍ଗକୁ ଚର୍ଚ୍ଚାକୁ ଆଣିଛି। ସୋସିଆଲ ମିଡିଆରେ ମଧ୍ୟ ସଂରକ୍ଷଣ ବ୍ୟବସ୍ଥାକୁ ହଟାଇବା କିମ୍ବା ପରିବର୍ତ୍ତନ କରିବା ନେଇ ଅଭିଯାନ ଚାଲୁଥିବା ସେ ଅଭିଯୋଗ କରିଛନ୍ତି।
ସଂରକ୍ଷଣ ଉଚ୍ଛେଦ ହେବ ନାହିଁ: ଅଠାୱଲେ
ଅଠାୱଲେଙ୍କ କହିବା ଅନୁଯାୟୀ, କିଛି ଲୋକ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ ପାଇଁ ଦାବି କରୁଛନ୍ତି। କିନ୍ତୁ ସଂରକ୍ଷଣ ସାମ୍ବିଧାନିକ ବ୍ୟବସ୍ଥା ସହ ଜଡିତ ଥିବାରୁ ଏହାକୁ ଉଚ୍ଛେଦ କରାଯାଇପାରିବ ନାହିଁ। ଏହାକୁ ବିରୋଧ କରୁଥିବା ଲୋକଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନିଆଯିବା ଉଚିତ ବୋଲି ସେ ଦାବି କରିଛନ୍ତି।
ଅନ୍ୟପକ୍ଷରେ, ଦିଲ୍ଲୀ ପୁଲିସ କହିଛି ଯେ ସଂରକ୍ଷଣ ସଂସ୍କାର ପ୍ରସଙ୍ଗରେ ଯନ୍ତର ମନ୍ତରରେ ପ୍ରତିବାଦ କିମ୍ବା ସମାବେଶ ପାଇଁ କୌଣସି ବ୍ୟକ୍ତି ବା ସଂଗଠନକୁ ଅନୁମତି ଦିଆଯାଇନାହିଁ। ସୋସିଆଲ ମିଡିଆରେ ପ୍ରସାରିତ ‘ବିଭ୍ରାନ୍ତିକର’ ପୋଷ୍ଟ ଆଧାରରେ ଯନ୍ତର ମନ୍ତରରେ ଏକାଠି ନହେବାକୁ ମଧ୍ୟ ପୁଲିସ ଲୋକଙ୍କୁ ସତର୍କ କରିଥିଲା।
ତେବେ ପୁଲିସର ଚେତାବନୀ ସତ୍ତ୍ୱେ ବହୁ ସଂଖ୍ୟକ ପ୍ରତିବାଦକାରୀ ଯନ୍ତର ମନ୍ତରରେ ଏକାଠି ହୋଇଥିଲେ। ସେମାନେ ସଂରକ୍ଷଣ ବିରୋଧୀ ସ୍ଲୋଗାନ ଦେବା ସହ ପୋଷ୍ଟର ଓ ବ୍ୟାନର ପ୍ରଦର୍ଶନ କରିଥିବା ଜଣାପଡ଼ିଛି।




