ଭୁବନେଶ୍ୱର: ଖଣି ଓ ଖଣିଜଜାତ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ଏମ୍ଏମ୍ଡିଆର) ବିଲ୍କୁ ନେଇ କେନ୍ଦ୍ର ସରକାର ବିରୋଧରେ ଗୁରୁତର ଅଭିଯୋଗ ଆଣିଛି ଓଡ଼ିଶା କଂଗ୍ରେସ। ଏହି ବିଲ୍ ଲାଗୁ ହେଲେ ଓଡ଼ିଶା ବକେୟା ଖଣି ଟିକସ ବାବଦରେ ପ୍ରାୟ ୧.୫ ଲକ୍ଷରୁ ୨ ଲକ୍ଷ କୋଟି ଟଙ୍କା ହରାଇବ ବୋଲି କଂଗ୍ରେସ ଦାବି କରିଛି। ଏହି ଅର୍ଥ ଆଦାୟ ହୋଇଥିଲେ ପ୍ରତି ଓଡ଼ିଆଙ୍କୁ ପ୍ରାୟ ୨୨ ହଜାର ଟଙ୍କା ମିଳିପାରିଥାନ୍ତା ବୋଲି ଦଳ କହିଛି।
ସୋମବାର କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ଏହି ଅଭିଯୋଗ ଆଣିଛନ୍ତି। ଏମ୍ଏମ୍ଡିଆର ବିଲ୍ ଓଡ଼ିଶାର ସ୍ୱାର୍ଥ ବିରୋଧୀ ବୋଲି ସେ ଦାବି କରିଛନ୍ତି।
ବିଜେପି ସାଂସଦଙ୍କୁ ଟାର୍ଗେଟ୍
ଦେବାଶିଷ ପଟ୍ଟନାୟକ କହିଛନ୍ତି, ଏହି ବିଲ୍ ଓଡ଼ିଶାର ସ୍ୱାର୍ଥ ପରିପନ୍ଥୀ ବୋଲି ଜାଣି ମଧ୍ୟ ରାଜ୍ୟର ୨୦ ଜଣ ବିଜେପି ସାଂସଦ ଏହାକୁ ସମର୍ଥନ କରିଛନ୍ତି। ଏହା ଦ୍ୱାରା ସେମାନେ ଓଡ଼ିଶାବାସୀଙ୍କ ସହ ପ୍ରତାରଣା କରିଥିବା ସେ ଅଭିଯୋଗ କରିଛନ୍ତି।
କଂଗ୍ରେସର ଦାବି ଅନୁଯାୟୀ, ବକେୟା ଅର୍ଥ ରାଜ୍ୟକୁ ମିଳିଥିଲେ ଏହାକୁ ସ୍କୁଲ, କଲେଜ, ହସ୍ପିଟାଲ ଓ ପୋଲ ଭଳି ଭିତ୍ତିଭୂମି ନିର୍ମାଣରେ ବ୍ୟବହାର କରାଯାଇପାରିଥାନ୍ତା। ଏହା ସହିତ ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି କରି ଯୁବକମାନଙ୍କ ଦାଦନ ଯିବା ସମସ୍ୟାକୁ ମଧ୍ୟ କିଛି ମାତ୍ରାରେ ରୋକାଯାଇପାରିଥାନ୍ତା ବୋଲି ସେ କହିଛନ୍ତି।
‘କଂଗ୍ରେସ କରିବ ପ୍ରତିରୋଧ’
ରାଜ୍ୟ ସରକାରଙ୍କ ‘ସୁଭଦ୍ରା’ ଯୋଜନାକୁ ମଧ୍ୟ ଦେବାଶିଷ ପଟ୍ଟନାୟକ ସମାଲୋଚନା କରିଛନ୍ତି। ରାଜ୍ୟର ସ୍ୱାର୍ଥକୁ କେନ୍ଦ୍ରରେ ରଖି ବିଜେପି ସରକାର କାର୍ଯ୍ୟ କରୁନଥିବା ଅଭିଯୋଗ କରି ସେ କହିଛନ୍ତି ଯେ, କଂଗ୍ରେସ ଏହାର ପ୍ରତିରୋଧ କରିବ।
ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ରାଜ୍ୟ ସରକାରଙ୍କୁ ସବୁ ସ୍ତରରେ ଏବଂ ବିଭିନ୍ନ ଉପାୟରେ ବିରୋଧ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ମନୋରଞ୍ଜନ ଦାଶ ଓ ଚିନ୍ମୟ ସୁନ୍ଦର ଦାଶ ଉପସ୍ଥିତ ଥିଲେ।




