ୱାସିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡ଼ା ପ୍ରତି ପୁଣି କଡ଼ା ଆଭିମୁଖ୍ୟ ଆପଣାଇଛନ୍ତି। କାନାଡ଼ା ନିର୍ମିତ କାର୍ଗୁଡ଼ିକ ଉପରେ କଡ଼ା ଶୁଳ୍କ ଲଗାଇବାକୁ ସେ ଧମକ ଦେବା ସହ କାନାଡ଼ା ଆମେରିକାକୁ ବାଣିଜ୍ୟ କ୍ଷେତ୍ରରେ ଠକୁଥିବା ଅଭିଯୋଗ ଆଣିଛନ୍ତି। ଆମେରିକା ବଜାର ପାଇଁ କାନାଡ଼ା ଗାଡ଼ି ନିର୍ମାଣ କରୁ, ତାହା ୱାସିଂଟନ୍ ଚାହୁଁନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଓଭାଲ୍ ଅଫିସ୍ରେ ଏକ କାର୍ଯ୍ୟକ୍ରମ ସମୟରେ ଟ୍ରମ୍ପ ଏକ ନିର୍ବାହୀ ଆଦେଶରେ ସ୍ୱାକ୍ଷର କରିଛନ୍ତି, ଯେଉଁଥିରେ ‘ଲେକ୍ ଓଣ୍ଟାରିଓ’ର ନାମ ବଦଳାଇ ‘ଲେକ୍ ଆମେରିକା’ ରଖାଯାଇଛି। କାନାଡ଼ା ଆମେରିକା ସହ ଏହି ହ୍ରଦର ସୀମା ଭାଗ କରୁଥିବା ବେଳେ ଏହି ନୂଆ ନାମକରଣ ଦୁଇ ଦେଶ ମଧ୍ୟରେ କୂଟନୈତିକ ଚର୍ଚ୍ଚାର ବିଷୟ ପାଲଟିଛି।
ଏହି ଆଲୋଚନା ସମୟରେ ଟ୍ରମ୍ପ ଅନେକ ବୈଦେଶିକ ନୀତି ସମ୍ପର୍କରେ ନିଜର ମତ ରଖିଥିଲେ। ନେପାଳରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାକୁ ‘ଭୟାନକ’ ବୋଲି ବର୍ଣ୍ଣନା କରିବା ସହ ଆମେରିକା ନେପାଳ ସରକାରଙ୍କ ସହ ଯୋଗାଯୋଗ କରି ସମସ୍ତ ପ୍ରକାର ଆପାତକାଳୀନ ସହାୟତା ଯୋଗାଇଦେବାକୁ ପ୍ରସ୍ତାବ ଦେଇଛି। ହୋରମୁଜ ପ୍ରଣାଳୀ (Strait of Hormuz) ଖୋଲିଥିଲେ ବି ଇରାନ ଘୋର ଆର୍ଥିକ ଓ ସାମରିକ ସଙ୍କଟ ଦେଇ ଗତି କରୁଛି। ଇରାନ ସହ ବର୍ତ୍ତମାନ କୌଣସି ଆଲୋଚନାର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି।
ରୁଷର ଆଚରଣ ବର୍ତ୍ତମାନ ପର୍ଯ୍ୟନ୍ତ ସନ୍ତୋଷଜନକ ରହିଛି ଏବଂ ସେ NATO ଉପରେ ଆକ୍ରମଣ କରିବ ନାହିଁ ବୋଲି ଟ୍ରମ୍ପ କହିଛନ୍ତି। ଏଥିସହିତ ଚୀନ୍ ବ୍ୟାଙ୍କଗୁଡ଼ିକ ଉପରେ କଟକଣା ଲଗାଯିବା ସମ୍ଭାବନାକୁ ମଧ୍ୟ ସେ ଏଡ଼ାଇ ଦେଇନାହାନ୍ତି।ଉଲ୍ଲେଖଯୋଗ୍ୟ ଯେ, ଆମେରିକା ଓ କାନାଡ଼ା ମଧ୍ୟରେ ଗାଡ଼ି ନିର୍ମାଣ ବାଣିଜ୍ୟ ଅତ୍ୟନ୍ତ ନିବିଡ଼। ଏହି ନୂଆ ଶୁଳ୍କ ଧମକ ଦୁଇ ଦେଶ ମଧ୍ୟରେ ଥିବା USMCA ବାଣିଜ୍ୟ ଚୁକ୍ତି ଉପରେ ପ୍ରଭାବ ପକାଇପାରେ।




