ଭୁବନେଶ୍ୱର: ପାନପୋଷ ସରକାରୀ ସର୍କିଟ ହାଉସରୁ ମାରଣାସ୍ତ୍ର ଜବତ ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା। ୧୧ ଦିନ ଧରି ଫେରାର୍ ଥିବା ବିଜେପିର ନିଲମ୍ବିତ ଯୁବ ନେତା ପ୍ରକାଶ ପାଶୱାନ୍ (୩୫)ଙ୍କୁ ବୁଧବାର ବିହାରରୁ ଗିରଫ କରିଛି ରାଉରକେଲା ପୋଲିସ।

ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ପ୍ରକାଶ ପାଶୱାନ୍‌ଙ୍କୁ ବିହାରର ସମସ୍ତିପୁର ଅଞ୍ଚଳରୁ ଗିରଫ କରାଯାଇଛି। ସେ ଗତ ଅଗଷ୍ଟ ୧୪ ତାରିଖରୁ ଆତ୍ମଗୋପନ କରିଥିଲେ। ତାଙ୍କ ବିରୋଧରେ ପାନପୋଷ ଏସଡିଜେଏମ (SDJM) କୋର୍ଟ ନନ୍-ବେଲେବଲ୍ ୱାରେଣ୍ଟ (NBW) ଜାରି କରିଥିଲେ। ପୋଲିସ୍ ବର୍ତ୍ତମାନ ତାଙ୍କୁ ଜେରା ପାଇଁ ଟ୍ରାଞ୍ଜିଟ୍ ରିମାଣ୍ଡରେ ରାଉରକେଲା ଆଣିବାକୁ ଆଇନଗତ ପ୍ରକ୍ରିୟା ଜାରି ରଖିଛି।

ରାଉରକେଲା ସରକାରୀ ସର୍କିଟ ହାଉସରେ ବନ୍ଧୁକ, ଜୀବନ୍ତ ଗୁଳି ଏବଂ ଅପରାଧୀମାନଙ୍କୁ ଆଶ୍ରୟ ଦେବା ଘଟଣାରେ ପ୍ରକାଶ ପାଶୱାନ୍ ମାଷ୍ଟରମାଇଣ୍ଡ ଥିବା ଅଭିଯୋଗ ହୋଇଛି। ନିଲମ୍ବନ ପୂର୍ବରୁ ସେ ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଥିଲେ। ଆରଏନ ପାଲି ପୋଲିସ ପ୍ରଥମେ ସର୍କିଟ ହାଉସରୁ ମାରଣାସ୍ତ୍ର ଏବଂ ଗୁଳି ସହ ଦୁଇଜଣ କୁଖ୍ୟାତ ଅପରାଧୀଙ୍କୁ ଗିରଫ କରିଥିଲା। ଏହାପରେ ମାମଲାର ଛାନ୍‌ଭିନ୍ କରି ଅନ୍ୟ ୫ ଜଣ ଅପରାଧୀଙ୍କୁ ଗିରଫ କରାଯାଇଥିଲା।

ଏହି ସମ୍ବେଦନଶୀଳ ମାମଲାରେ ପ୍ରକାଶଙ୍କ ସମ୍ପୃକ୍ତି ସାମ୍ନାକୁ ଆସିବା ପରେ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା। ତାଙ୍କୁ ରାଉରକେଲା ଆଣି ଜେରା କରିବା ପରେ ଏହି ମାରଣାସ୍ତ୍ର କାରବାର ଓ ଅପରାଧିକ ଷଡ଼ଯନ୍ତ୍ର ପଛର ଅନ୍ୟ ଅଭିଯୁକ୍ତମାନଙ୍କ ବିଷୟରେ ଅଧିକ ତଥ୍ୟ ପଦାକୁ ଆସିବ ବୋଲି ପୋଲିସ ଆଶା ରଖିଛି।