ଭୁବନେଶ୍ୱର: ଚିଲିକା ନିର୍ବାଚନମଣ୍ଡଳୀରେ କୃଷି ଓ ଉଦ୍ୟାନକୃଷିର ବିକାଶ ସହ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ସମନ୍ୱିତ ମଡେଲ ଆପଣାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ଖୋର୍ଦ୍ଧା ଜିଲ୍ଲାର ଚିଲିକା ଓ ବାଣପୁର ବ୍ଲକ୍‌ରେ କୃଷି ଓ ଉଦ୍ୟାନକୃଷିର ବ୍ୟାପକ ସମ୍ଭାବନା ଥିବାରୁ ଏହାର ସୁଯୋଗ ନେଇ ଚାଷୀଙ୍କୁ ଅଧିକ ଲାଭ ଦେବା ଉପରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗୁରୁତ୍ୱାରୋପ କରିଛନ୍ତି।

ଚିଲିକା ନିର୍ବାଚନମଣ୍ଡଳୀର କୃଷି, ଉଦ୍ୟାନକୃଷି ଓ ମୃତ୍ତିକା ସଂରକ୍ଷଣ ସମ୍ପର୍କିତ ବିଭିନ୍ନ ଯୋଜନାର ସମୀକ୍ଷା ପାଇଁ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ଯୋଜନା, ସେଗୁଡ଼ିକର ବର୍ତ୍ତମାନ ସ୍ଥିତି ଓ ଚାଷୀଙ୍କ ପାଇଁ ଉପଲବ୍ଧ ସୁବିଧା ସମ୍ପର୍କରେ ଆଲୋଚନା ହୋଇଥିଲା।

ମନ୍ତ୍ରୀ କହିଥିଲେ, କୃଷି ଓ ଉଦ୍ୟାନକୃଷିକୁ ଏକ ମର୍ଯ୍ୟାଦାଜନକ ସ୍ଥିତିରେ ପହଞ୍ଚାଇବାକୁ ହେଲେ ଅଞ୍ଚଳର ମାଟି ଓ ଜଳବାୟୁକୁ ଅନୁଧ୍ୟାନ କରି ଫସଲ ଚୟନ କରିବାକୁ ପଡ଼ିବ। ବାଣପୁର ଅଞ୍ଚଳର ମୁଗର ସ୍ୱାଦ ଓ ଗୁଣ ବେଶ୍‌ ପ୍ରସିଦ୍ଧ ହୋଇଥିବାବେଳେ ଚିଲିକା ଉପକୂଳ ଅଞ୍ଚଳରେ ନଡ଼ିଆ ଚାଷର ମଧ୍ୟ ବ୍ୟାପକ ସମ୍ଭାବନା ରହିଛି।

ଏହାକୁ ଦୃଷ୍ଟିରେ ରଖି ଅଞ୍ଚଳରେ ବିଭିନ୍ନ ଫଳ, ପନିପରିବା, ଅଧିକ ଚାହିଦା ଥିବା ଧାନ ଏବଂ ଶ୍ରୀଅନ୍ନ ଉତ୍ପାଦନ ବଢ଼ାଇବା ପାଇଁ ଯୋଜନା କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ଫସଲ ସଂରକ୍ଷଣ ପାଇଁ ଆବଶ୍ୟକ ସ୍ଥାନରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ।

ସେହିପରି ଜୈବିକ କୃଷି ଉପରେ ଅଧିକ ଗବେଷଣା ସହ ଫୁଲ ଚାଷ, ଛତୁ ଚାଷ ଓ ପଶୁଖାଦ୍ୟ ଉତ୍ପାଦନକୁ ପ୍ରୋତ୍ସାହନ ଦେବାକୁ ମନ୍ତ୍ରୀ କହିଥିଲେ। ରାଜ୍ୟ ସରକାରଙ୍କ ‘ବିକଶିତ ଓଡ଼ିଶା’ ଲକ୍ଷ୍ୟ ପୂରଣ ପାଇଁ କେନ୍ଦ୍ର ଓ ରାଜ୍ୟର ବିଭିନ୍ନ କୃଷି ଯୋଜନାର ସୁଫଳ ଚାଷୀଙ୍କ ପାଖରେ ପହଞ୍ଚାଇବାକୁ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ଅଧିକାରୀମାନେ ଅଞ୍ଚଳରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ, ତାଲିମ ଶିବିର ଓ ଚାଷୀଙ୍କ ପାଇଁ ଉପଲବ୍ଧ ରିହାତି ଯୋଜନା ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରିଥିଲେ। କୃଷି, ଉଦ୍ୟାନକୃଷି ଓ ମୃତ୍ତିକା ସଂରକ୍ଷଣ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ନେଇ ମଧ୍ୟ ଆଲୋଚନା ହୋଇଥିଲା।

ବୈଠକରେ ଖୋର୍ଦ୍ଧାର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ମନୋରଞ୍ଜନ ମିଶ୍ର, ଉଦ୍ୟାନକୃଷି ସହକାରୀ ନିର୍ଦ୍ଦେଶକ ଶ୍ରେୟା ଶାଶ୍ୱତୀ, ମୃତ୍ତିକା ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ ସୃଷ୍ଟି ନନ୍ଦଙ୍କ ସମେତ ଜିଲ୍ଲାର ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।