କିବ୍: ରୁଷ୍-ୟୁକ୍ରେନ୍ ଯୁଦ୍ଧ ପୁଣି ଭୀଷଣ ରୂପ ନେଇଛି। ଗତ ତିନି ଦିନ ଧରି ୟୁକ୍ରେନ୍ ଉପରେ ରୁଷ୍ର ଘନଘନ ଆକାଶମାର୍ଗ ଆକ୍ରମଣ ଜାରି ରହିଛି। ଏହି ଆକ୍ରମଣରେ କିବ୍ ନିକଟସ୍ଥ ବୁଚା ଜିଲ୍ଲାରେ ଅତି କମରେ ୨୭ ଜଣଙ୍କ ମୃତ୍ୟୁ ହୋଇଥିବା ୟୁକ୍ରେନୀୟ ଅଧିକାରୀମାନେ ଶନିବାର କହିଛନ୍ତି। ଆକ୍ରମଣରେ ୫୦ରୁ ଅଧିକ ଆବାସିକ କୋଠା କ୍ଷତିଗ୍ରସ୍ତ ହେବା ସହ ଅନେକ ସ୍ଥାନରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି।
ରୁଷ୍ର ଲଗାତାର ଆକ୍ରମଣ ଯୋଗୁଁ କିବ୍ରେ ସାଧାରଣ ଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଆର୍ଥିକ କାର୍ଯ୍ୟକଳାପ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଆଞ୍ଚଳିକ ସାମରିକ ପ୍ରଶାସନର ମୁଖ୍ୟ ଟାଇମୁର ତକାଚେଙ୍କୋଙ୍କ ଅନୁଯାୟୀ, ଆକ୍ରମଣରେ ଅତି କମରେ ୫୦ଟି ଆବାସିକ କୋଠା କ୍ଷତିଗ୍ରସ୍ତ ହୋଇଛି। ଅନେକ ଘର ସହ ଏକ ରେଷ୍ଟୁରାଣ୍ଟରେ ମଧ୍ୟ ନିଆଁ ଲାଗିଥିଲା।
ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଛନ୍ତି ଯେ, ମାଇଲା ଗ୍ରାମର ଏକ ଗୋଦାମ ଉପରେ ଆକ୍ରମଣ ପରେ ବଡ଼ଧରଣର ବିସ୍ଫୋରଣ ଘଟିଥିଲା। ଗୋଦାମରେ କ’ଣ ଗଚ୍ଛିତ ଥିଲା, ତାହା ସେ ସ୍ପଷ୍ଟ କରିନଥିଲେ। ତେବେ ଆବାସିକ ଅଞ୍ଚଳ ନିକଟରେ ଗୁଳିଗୋଳା ସଂରକ୍ଷଣ ନେଇ ନିୟମ ଉଲ୍ଲଂଘନ ହୋଇଥିବା ଅଭିଯୋଗରେ ସରକାରୀ ଅବହେଳା ବିରୋଧରେ ଫୌଜଦାରୀ ତଦନ୍ତ ଆରମ୍ଭ ହୋଇଥିବା ସେ କହିଛନ୍ତି।
କିବ୍ରେ ଲଗାତାର ତୃତୀୟ ଦିନ ପାଇଁ ବିମାନ ଆକ୍ରମଣ ଜାରି ରହିଥିବାରୁ ସହରରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ଆକ୍ରମଣରେ ହୋଇଥିବା କ୍ଷୟକ୍ଷତିର ଆକଳନ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି।




