ଭୁବନେଶ୍ୱର: ରାଜ୍ୟରେ ଖରିଫ ଧାନ ପଞ୍ଜୀକରଣ ପ୍ରକ୍ରିୟାରେ ବିଳମ୍ବ ଓ ଅନିୟମିତତା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛି ବିଜୁ ଜନତା ଦଳ (ବିଜେଡି)। ବର୍ଷା ଓ ବନ୍ୟାରେ ଚାଷୀମାନେ ପ୍ରଭାବିତ ହୋଇଥିବାରୁ ଧାନ ପଞ୍ଜୀକରଣର ସମୟସୀମା ଆଉ ୨୦ ଦିନ ବଢ଼ାଇ ସେପ୍ଟେମ୍ବର ୨୦ ଯାଏ କରିବାକୁ ଦଳ ଦାବି କରିଛି।

ରବିବାର ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ନେତା ତଥା ଉପସଭାପତି ସଞ୍ଜୟ ଦାସବର୍ମା ଏନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ତାଙ୍କ କହିବାନୁଯାୟୀ, ରାଜ୍ୟର ୨୦ଟି ଜିଲ୍ଲା ବର୍ଷା ଓ ବନ୍ୟାରେ ଗୁରୁତର ପ୍ରଭାବିତ ହୋଇଛି। ନଦୀଗୁଡ଼ିକରେ ୨ରୁ ୩ ଥର ବନ୍ୟା ଆସିବା ଫଳରେ ଚାଷୀମାନେ ବ୍ୟାପକ କ୍ଷତି ସହିଛନ୍ତି।

ସେ କହିଛନ୍ତି, ଗତବର୍ଷ ୨୩ ଲକ୍ଷ ଚାଷୀ ଧାନ ପଞ୍ଜୀକରଣ କରିଥିବା ବେଳେ ଏଥର ଏପର୍ଯ୍ୟନ୍ତ ପ୍ରାୟ ୧୭ ଲକ୍ଷ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଗତବର୍ଷର ତଥ୍ୟକୁ ଆଧାର କଲେ ଏବେ ବି ସାଢ଼େ ୪ ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣରୁ ବାଦ୍‌ ପଡ଼ିଛନ୍ତି। ତେଣୁ ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ପଞ୍ଜୀକରଣ ଅବଧି ବଢ଼ାଇବା ଆବଶ୍ୟକ ବୋଲି ବିଜେଡି କହିଛି।

ଭାଗଚାଷୀଙ୍କ ପଞ୍ଜୀକରଣକୁ ନେଇ ମଧ୍ୟ ଦାସବର୍ମା ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଭାଗଚାଷୀଙ୍କ ପାଇଁ ସ୍ୱତନ୍ତ୍ର ଆପ୍‌ ଆଣିବାକୁ ସରକାର ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନଥିବା ସେ ଅଭିଯୋଗ କରିଛନ୍ତି। ବର୍ତ୍ତମାନର ଆପ୍‌ ବ୍ୟବସ୍ଥା ଯୋଗୁଁ ଲକ୍ଷାଧିକ ଭାଗଚାଷୀ ପଞ୍ଜୀକରଣରୁ ବାଦ୍‌ ପଡ଼ିବା ସହ ଧାନ ବିକ୍ରିକୁ ନେଇ ଅନିଶ୍ଚିତତାରେ ଅଛନ୍ତି ବୋଲି ସେ କହିଛନ୍ତି।

ଏଥିସହ ଜମିମାଲିକଙ୍କ ଇ-କେୱାଇସି ପ୍ରକ୍ରିୟାରେ ମଧ୍ୟ ଆବଶ୍ୟକ ସଫ୍ଟୱେୟାର ପରିବର୍ତ୍ତନ କରାଯାଇନଥିବା ବିଜେଡି ଅଭିଯୋଗ କରିଛି। ଏହା ଫଳରେ ଭାଗଚାଷୀମାନେ ପୋର୍ଟାଲରେ ପଞ୍ଜୀକରଣ କରିବା ପରେ କିପରି ଧାନ ବିକ୍ରି କରିବେ, ସେନେଇ ଚିନ୍ତାରେ ଥିବା ଦାସବର୍ମା କହିଛନ୍ତି।

ସେହିପରି ସରକାରଙ୍କ ‘କଲମ-୨’ ସଂଶୋଧନକୁ ନେଇ ମଧ୍ୟ ବିଜେଡି ଆପତ୍ତି ଉଠାଇଛି। ଏହି ସଂଶୋଧନକୁ ଦାସବର୍ମା ‘କଳା ଆଇନ’ ବୋଲି ଅଭିହିତ କରିବା ସହ ପ୍ରଥମେ ଚକବନ୍ଦୀ କାର୍ଯ୍ୟ ଶେଷ କରିବା ଏବଂ ଏହାପରେ ଗ୍ରହଣଯୋଗ୍ୟ ଢଙ୍ଗରେ ‘କଲମ-୨’ ସଂଶୋଧନ କରିବାକୁ ଦାବି କରିଛନ୍ତି।