ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ହର୍ମୁଜ ପ୍ରଣାଳୀରେ ସୃଷ୍ଟି ହୋଇଥିବା ସଙ୍କଟର ପ୍ରଭାବ ଭାରତର ତେଲ ଆମଦାନି ଉପରେ ପଡ଼ିଛି। ଯୁଦ୍ଧର ପ୍ରଥମ ୬ ମାସ, ଅର୍ଥାତ୍‌ ମାର୍ଚ୍ଚରୁ ଅଗଷ୍ଟ ମଧ୍ୟରେ ଭାରତକୁ ତେଲ ଆମଦାନି ବାବଦରେ ପ୍ରାୟ ୨୨ ବିଲିଅନ ଡଲାର ଅଧିକ ଖର୍ଚ୍ଚ କରିବାକୁ ପଡ଼ିଛି। ସେଣ୍ଟର ଫର୍‌ ରିସର୍ଚ୍ଚ ଅନ୍‌ ଏନର୍ଜି ଆଣ୍ଡ୍‌ କ୍ଲିନ୍‌ ଏୟାର (CREA) ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟରେ ଏହି ଆକଳନ କରାଯାଇଛି।

ରିପୋର୍ଟ ଅନୁଯାୟୀ, ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଥମ ୬ ମାସରେ ସମୁଦ୍ରପଥରେ ଆମଦାନି ହେଉଥିବା ତେଲ, ତୈଳଜାତ ସାମଗ୍ରୀ ଓ ଏଲ୍‌ଏନ୍‌ଜି ପାଇଁ ବିଶ୍ୱକୁ ପ୍ରାୟ ୩୩୦ ବିଲିଅନ ଡଲାରର ଅତିରିକ୍ତ ଆର୍ଥିକ ବୋଝ ବହନ କରିବାକୁ ପଡ଼ିଛି। ୧୯୯୦ ଦଶକର ଉପସାଗରୀୟ ଯୁଦ୍ଧ ପରଠାରୁ ଏହା ଏହି କ୍ଷେତ୍ରରେ ସବୁଠାରୁ ବଡ଼ ଧକ୍କା ବୋଲି ରିପୋର୍ଟରେ ଦର୍ଶାଯାଇଛି।

ଦେଶଗୁଡ଼ିକ ମଧ୍ୟରେ ୟୁରୋପୀୟ ସଂଘ (EU) ସର୍ବାଧିକ ୭୮ ବିଲିଅନ ଡଲାରର ଅତିରିକ୍ତ ଖର୍ଚ୍ଚ ବହନ କରିଛି। ଏହା ପଛକୁ ଚୀନ୍‌ ୩୫ ବିଲିଅନ ଡଲାର ଏବଂ ଭାରତ ୨୨ ବିଲିଅନ ଡଲାର ଅଧିକ ଖର୍ଚ୍ଚ କରିଛି। ଅର୍ଥାତ୍‌, ଯୁଦ୍ଧ ଯୋଗୁଁ ତେଲ ଓ ଅନ୍ୟ ଜୀବାଶ୍ମ ଇନ୍ଧନର ଦର ବଢ଼ିନଥିଲେ ଯେତିକି ଖର୍ଚ୍ଚ ହୋଇଥାନ୍ତା, ତା’ଠାରୁ ଭାରତକୁ ପ୍ରାୟ ୨୨ ବିଲିଅନ ଡଲାର ଅଧିକ ବ୍ୟୟ କରିବାକୁ ପଡ଼ିଛି।

ତେବେ ଭାରତର ମୋଟ ଅତିରିକ୍ତ ଖର୍ଚ୍ଚ ୨୨ ବିଲିଅନ ଡଲାର ହୋଇଥିଲେ ମଧ୍ୟ ତୈଳଜାତ ସାମଗ୍ରୀ ରପ୍ତାନିରୁ ହୋଇଥିବା ଆୟକୁ ବିଚାରକୁ ନେଲେ ନିଟ୍‌ ଅତିରିକ୍ତ ଖର୍ଚ୍ଚ ପ୍ରାୟ ୧୪.୪ ବିଲିଅନ ଡଲାର ରହିଛି। ଏହା ଭାରତର ଜିଡିପିର ପ୍ରାୟ ୦.୩୮ ପ୍ରତିଶତ ସହ ସମାନ। ଅର୍ଥାତ୍‌ ଏହି ସଙ୍କଟ ଯୋଗୁଁ ଭାରତକୁ ପ୍ରାୟ ୧.୪ ଦିନର ଜାତୀୟ ଆୟ ସମାନ ଆର୍ଥିକ କ୍ଷତି ସହିବାକୁ ପଡ଼ିଛି।

ରିପୋର୍ଟରେ ଆହୁରି କୁହାଯାଇଛି ଯେ ଭାରତ ପରେ ଆମେରିକା ୧୬.୫ ବିଲିଅନ ଡଲାର, ନେଦରଲ୍ୟାଣ୍ଡ୍‌ସ ୧୩.୫ ବିଲିଅନ ଡଲାର, ଦକ୍ଷିଣ କୋରିଆ ୧୩.୨ ବିଲିଅନ ଡଲାର, ଇଟାଲୀ ୧୨.୭ ବିଲିଅନ ଡଲାର, ଜାପାନ ୧୨ ବିଲିଅନ ଡଲାର, ଫ୍ରାନ୍ସ ୧୧.୧ ବିଲିଅନ ଡଲାର, ସ୍ପେନ ୧୦.୩ ବିଲିଅନ ଡଲାର ଏବଂ ଇଜିପ୍ଟ ୧୦.୧ ବିଲିଅନ ଡଲାରର ଅତିରିକ୍ତ ଖର୍ଚ୍ଚ ବହନ କରିଛି।