ନୂଆଦିଲ୍ଲୀ: ଭାରତରେ ଖାଲିସ୍ତାନୀ ଆନ୍ଦୋଳନକୁ ପୁଣି ସକ୍ରିୟ କରିବା ପାଇଁ ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଆଇଏସଆଇ ଏକ ବଡ଼ ଷଡ଼ଯନ୍ତ୍ର ରଚିଛି। ତଦନ୍ତକାରୀ ସଂସ୍ଥାଗୁଡ଼ିକର ସୂଚନା ଅନୁଯାୟୀ, ଦୁବାଇରୁ ପରିଚାଳିତ ହେଉଥିବା ଏକ ବିଶାଳ ନେଟୱର୍କ ମାଧ୍ୟମରେ ପଞ୍ଜାବରେ ସନ୍ଦିଗ୍ଧ ଗତିବିଧି, ଗୁପ୍ତଚରୀ ଏବଂ ଯୁବକମାନଙ୍କୁ ଦଳରେ ସାମିଲ କରିବା କାର୍ଯ୍ୟ ଚାଲିଛି।

ପାକିସ୍ତାନ ଉପରେ ସୀଧାସଳଖ ଆଙ୍ଗୁଠି ନଉଠିବା ପାଇଁ ଆଇଏସଆଇ ନିଜର ସମସ୍ତ କାର୍ଯ୍ୟକଳାପକୁ ଦୁବାଇ ସ୍ଥାନାନ୍ତର କରୁଥିବା ବେଳେ ଏହି ମୋଡ୍ୟୁଲ୍ ପଞ୍ଜାବର ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ସ୍ଥାନଗୁଡ଼ିକ ଉପରେ ନଜର ରଖୁଛି।

ସମ୍ପ୍ରତି ପଞ୍ଜାବ ପୋଲିସ ଲୁଧିଆନାରୁ ତିନିଜଣ ସନ୍ଦିଗ୍ଧଙ୍କୁ ଗିରଫ କରିବା ପରେ ଏହି ସଞ୍ଚାଳନର ପରଦାଫାଶ ହୋଇଛି। ଗିରଫ ଅଭିଯୁକ୍ତମାନେ ସେନା ଛାଉଣୀ ଏବଂ ସମ୍ବେଦନଶୀଳ ଅଞ୍ଚଳ ନିକଟରେ ଭଡ଼ାରେ ଘର ନେଇ ୱାଇ-ଫାଇ ସଂଯୋଜିତ ସିସିଟିଭି କ୍ୟାମେରା ଲଗାଉଥିଲେ। ଏହି କ୍ୟାମେରାଗୁଡ଼ିକର ସିଧାସଳଖ ଲାଇଭ୍ ଫିଡ୍ ଦୁବାଇ ଏବଂ ପାକିସ୍ତାନରେ ଥିବା ଆଇଏସଆଇ ହ୍ୟାଣ୍ଡଲରମାନଙ୍କ ପାଖକୁ ପଠାଯାଉଥିଲା।

ଗିରଫ ହୋଇଥିବା ରଶପାଲ ସିଂ ନାମକ ଜଣେ ବ୍ୟକ୍ତି ବଦ୍ଦୋୱାଲ କ୍ୟାଣ୍ଟନମେଣ୍ଟ ର ମାତ୍ର ୬ କିଲୋମିଟର ଦୂରରେ କ୍ୟାମେରା ଲଗାଇ ସମସ୍ତ ଗୁପ୍ତ ତଥ୍ୟ ଆଇଏସଆଇକୁ ପଠାଉଥିଲା।

ଇଣ୍ଟେଲିଜେନ୍ସ ବ୍ୟୁରୋ ର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ପୂର୍ବରୁ କାନାଡ଼ାରୁ ଖାଲିସ୍ତାନୀ ଗତିବିଧି ସଞ୍ଚାଳିତ ହେଉଥିଲା। ମାତ୍ର କାନାଡ଼ା ସରକାର ଏହିସବୁ ଅସାମାଜିକ ତତ୍ତ୍ୱଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ଆଇଏସଆଇ ଏବେ ଦୁବାଇକୁ ନିଜର ମୁଖ୍ୟ ଆଡ୍ଡା ଭାବେ ବ୍ୟବହାର କରୁଛି।

ଦୁବାଇରେ ବସି ଏହି ନେଟୱର୍କ ଚଲାଉଥିବା ବ୍ୟକ୍ତିଜଣକ ପଞ୍ଜାବର ହୋଇଥିବାରୁ ସେ ସ୍ଥାନୀୟ ଯୁବକମାନଙ୍କୁ ସହଜରେ ନିଜ ଆଡ଼କୁ ଆକୃଷ୍ଟ କରିପାରୁଛି।

ପଞ୍ଜାବରେ ଖାଲିସ୍ତାନୀ ଆନ୍ଦୋଳନ ପାଇଁ ପାଣ୍ଠି ଯୋଗାଡ଼ କରିବାକୁ ଆଇଏସଆଇ ବୃହତ୍ ପରିମାଣରେ ନିଶାଦ୍ରବ୍ୟ ଚାଲାଣ କରୁଛି। ଏହି ନିଶାକାରବାରରୁ ମିଳୁଥିବା ଟଙ୍କାକୁ ଯୁବକମାନଙ୍କୁ ଦଳରେ ସାମିଲ କରିବା ଏବଂ ଗୁପ୍ତଚରୀ କାର୍ଯ୍ୟରେ ଖର୍ଚ୍ଚ କରାଯାଉଛି।

ପଞ୍ଜାବର କୌଣସି ସମ୍ବେଦନଶୀଳ ସ୍ଥାନରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ଆଇଏସଆଇ ଏହି ସମସ୍ତ ତଥ୍ୟ ଏକତ୍ରିତ କରୁଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି। ବର୍ତ୍ତମାନ ପଞ୍ଜାବ ପୋଲିସ ଓ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଏହି ଦୁବାଇ ମୋଡ୍ୟୁଲର ମୂଳପୋଛ କରିବା ପାଇଁ ତଦନ୍ତ ଜୋରଦାର କରିଛନ୍ତି।