ୱାଶିଂଟନ୍: ଆମେରିକାରେ ଚାକିରି ଆଧାରିତ ଗ୍ରୀନ୍ କାର୍ଡ ଆଶାୟୀ ଭାରତୀୟଙ୍କ ପାଇଁ ଏକ ଚିନ୍ତାଜନକ ଖବର ଆସିଛି। ପ୍ରବଳ ଚାହିଦା ଯୋଗୁଁ ଆଗାମୀ କିଛି ସପ୍ତାହ ମଧ୍ୟରେ ଭାରତୀୟଙ୍କ ପାଇଁ EB-1 କାଟେଗୋରୀର ଗ୍ରୀନ୍ କାର୍ଡ ଅସୁଲଭ ହୋଇପାରେ ବୋଲି ଆମେରିକା ଚେତାବନୀ ଦେଇଛି। ଆମେରିକାର ଚଳିତ ଆର୍ଥିକ ବର୍ଷ ସେପ୍ଟେମ୍ବର ୩୦ରେ ଶେଷ ହେବାକୁ ଯାଉଥିବା ବେଳେ ଭାରତ ପାଇଁ ନିର୍ଦ୍ଧାରିତ ଭାଗ ଶେଷ ହୋଇଯିବା ଆଶଙ୍କା ରହିଛି।

ଆମେରିକା ବୈଦେଶିକ ବିଭାଗ ନିଜର ସେପ୍ଟେମ୍ବର ଭିସା ବୁଲେଟିନ୍‌ରେ ଦର୍ଶାଇଛି ଯେ, EB-1 କାଟେଗୋରୀରେ ଭାରତୀୟ ଆବେଦନକାରୀଙ୍କ ଅତ୍ୟଧିକ ଚାହିଦା ଯୋଗୁଁ ଆଗାମୀ କିଛି ସପ୍ତାହ ମଧ୍ୟରେ ଏହି ସେବା ବନ୍ଦ କରିବାକୁ ପଡ଼ିପାରେ। EB-1 ପ୍ରାଥମିକତା ଶ୍ରେଣୀର ହୋଇଥିବା ବେଳେ ଏଥିରେ ଅସାଧାରଣ ଦକ୍ଷତା ପ୍ରଦର୍ଶନକାରୀ, ପ୍ରସିଦ୍ଧ ଅଧ୍ୟାପକ, ଗବେଷକ ଏବଂ ବହୁରାଷ୍ଟ୍ରୀୟ କମ୍ପାନୀର ବରିଷ୍ଠ ପ୍ରବନ୍ଧକମାନେ ଆବେଦନ କରିଥାନ୍ତି।

EB-2 ଓ EB-3 କାଟେଗୋରୀର ସ୍ଥିତି ବିଗିଡ଼ିଛି

ସେପ୍ଟେମ୍ବର ମାସର ଭିସା ବୁଲେଟିନ୍ ଅନୁଯାୟୀ, EB-1 କାଟେଗୋରୀ ପାଇଁ ଭାରତର ‘ଫାଇନାଲ୍ ଆକ୍ସନ୍ ଡେଟ୍’ ଅକ୍ଟୋବର ୧୫, ୨୦୨୨ ରହିଛି। ଅର୍ଥାତ୍ ଏହି ତାରିଖ ପୂର୍ବରୁ ପ୍ରାଥମିକତା ପାଇଥିବା ଆବେଦନକାରୀଙ୍କୁ ହିଁ ଗ୍ରୀନ୍ କାର୍ଡ ମିଳିପାରିବ।

ଅନ୍ୟପଟେ, ଉଚ୍ଚ ଶିକ୍ଷାପ୍ରାପ୍ତ ଏବଂ ବିଶେଷ ଦକ୍ଷତା ଥିବା ପେଷାଦାରଙ୍କ ପାଇଁ ନିର୍ଦ୍ଧାରିତ EB-2 କାଟେଗୋରୀରେ ଭାରତୀୟଙ୍କ ପାଇଁ ଭିସା ପୂର୍ବରୁ ‘U’ ଅର୍ଥାତ୍ ଅସୁଲଭ ରହିଛି। ଅଗଷ୍ଟ ମାସ ଭଳି ସେପ୍ଟେମ୍ବରରେ ମଧ୍ୟ EB-2 କାଟେଗୋରୀର କୌଣସି ନୂଆ ଆବେଦନ ଗ୍ରହଣ କରାଯାଉନାହିଁ।

ସେହିପରି, EB-3 କାଟେଗୋରୀରେ ଭାରତୀୟଙ୍କ ପାଇଁ କଟ୍-ଅଫ୍ ତାରିଖ ଜାନୁଆରୀ ୧, ୨୦୧୪ ରହିଛି, ଯାହାର ଅର୍ଥ ଭାରତୀୟମାନେ ଗ୍ରୀନ୍ କାର୍ଡ ପାଇଁ ୧୨ ବର୍ଷରୁ ଅଧିକ ସମୟ ଧରି ଅପେକ୍ଷା କରୁଛନ୍ତି। ତୁଳନାତ୍ମକ ଭାବେ ଅନ୍ୟ ଦେଶଗୁଡ଼ିକ ପାଇଁ EB-3 ର ସମୟସୀମା ବହୁତ କମ୍ ରହିଛି (ଯେପରି ଚୀନ୍ ପାଇଁ ୨୦୨୨)।

ଆମେରିକା ନିୟମ ଅନୁଯାୟୀ, କୌଣସି ଗୋଟିଏ ଦେଶକୁ ମୋଟ କୋଟାର ୭ ପ୍ରତିଶତରୁ ଅଧିକ ଭିସା ଦିଆଯାଇପାରିବ ନାହିଁ। ୨୦୨୬ ଆର୍ଥିକ ବର୍ଷ ପାଇଁ ବିଶ୍ୱସ୍ତରରେ ଚାକିରି ଆଧାରିତ ଗ୍ରୀନ୍ କାର୍ଡ ସୀମା ୧,୮୬,୩୧୭ ରହିଛି। ଭାରତୀୟ ପେଷାଦାରଙ୍କ ପ୍ରବଳ ଚାହିଦା ଏବଂ ଏହି ୭ ପ୍ରତିଶତର ଆଇନଗତ ସୀମା ଯୋଗୁଁ ଭାରତୀୟମାନଙ୍କ ପାଇଁ ବ୍ୟାକଲଗ୍ ବା ଅପେକ୍ଷା ସମୟ ବର୍ଷକୁ ବର୍ଷ ବୃଦ୍ଧି ପାଇବାରେ ଲାଗିଛି।