ତିରୁଅନନ୍ତପୁରମ୍‌: ମହିଳାଙ୍କୁ ନେଇ ମୁସଲିମ୍‌ ଧର୍ମଗୁରୁ କାନ୍ଥାପୁରମ୍‌ ଏପି ଅବୁବକର ମୁସଲିୟାରଙ୍କ ମନ୍ତବ୍ୟକୁ କେନ୍ଦ୍ର କରି କେରଳରେ ବିବାଦ ତୀବ୍ର ହୋଇଛି। ମୁଖ୍ୟମନ୍ତ୍ରୀ ଭିଡି ସତୀଶନ୍‌ ଏହି ମନ୍ତବ୍ୟକୁ ସମାଲୋଚନା କରିବା ପରେ କାନ୍ଥାପୁରମ୍‌ଙ୍କ ନେତୃତ୍ୱାଧୀନ ମୁସଲିମ୍‌ ଗୋଷ୍ଠୀର ଧର୍ମପଣ୍ଡିତମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆପତ୍ତି ଜଣାଇଛନ୍ତି।

କ’ଣ କହିଥିଲେ କାନ୍ଥାପୁରମ୍‌?

ରବିବାର କୋଚିରେ ଆୟୋଜିତ ଏକ ଇସଲାମୀ ସମ୍ମିଳନୀରେ କାନ୍ଥାପୁରମ୍‌ କହିଥିଲେ ଯେ ମହିଳାମାନଙ୍କୁ ସାର୍ବଜନୀନ ମଞ୍ଚକୁ ଆଣିବା ଫଳରେ ‘ବଡ଼ ଧ୍ୱଂସ’ ଘଟିପାରେ। ଇସଲାମରେ ଏଥିପାଇଁ ପରଦା ବ୍ୟବସ୍ଥା ରହିଥିବା ସେ କହିଥିଲେ।

ଏହି ମନ୍ତବ୍ୟକୁ ନେଇ ମୁଖ୍ୟମନ୍ତ୍ରୀ ସତୀଶନ୍‌ ତୀବ୍ର ପ୍ରତିକ୍ରିୟା ଦେଇଥିଲେ। ଏଭଳି ଦୃଷ୍ଟିକୋଣ ମହିଳାଙ୍କ ଇତିହାସ ଓ ଆଧୁନିକ ସମାଜର ମୂଲ୍ୟବୋଧର ବିରୋଧୀ ବୋଲି ସେ କହିଥିଲେ।

ଇସଲାମୀ ଇତିହାସର ଉଦାହରଣ ଦେଇ ସତୀଶନ୍‌ ପ୍ରଫେଟ୍‌ ମହମ୍ମଦଙ୍କ ପ୍ରଥମ ପତ୍ନୀ ଖଦିଜାଙ୍କୁ ଜଣେ ପ୍ରମୁଖ ବ୍ୟବସାୟୀ ଏବଂ ଅନ୍ୟ ପତ୍ନୀ ଆଇଶାଙ୍କୁ ଯୁଦ୍ଧରେ ଭାଗ ନେଇଥିବା ବ୍ୟକ୍ତି ଭାବେ ଉଲ୍ଲେଖ କରିଥିଲେ। ୨୧ଶ ଶତାବ୍ଦୀରେ ମହିଳାଙ୍କୁ ଘର ଭିତରେ ସୀମିତ ରଖିବା ଭଳି ଚିନ୍ତାଧାରା ଗ୍ରହଣୀୟ ନୁହେଁ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଧର୍ମପଣ୍ଡିତ

ବୁଧବାର ରାତିରେ କାନ୍ଥାପୁରମ୍‌ଙ୍କ ଗୋଷ୍ଠୀର ଏକ ପ୍ରତିନିଧି ଦଳ ସତୀଶନ୍‌ଙ୍କୁ ଭେଟିଥିଲା। ଖଦିଜା ଓ ଆଇଶାଙ୍କ ଉଦାହରଣକୁ ମୁଖ୍ୟମନ୍ତ୍ରୀ ଭୁଲ୍‌ ଭାବେ ବ୍ୟାଖ୍ୟା କରିଥିବା ନେଇ ପ୍ରତିନିଧି ଦଳ ଆପତ୍ତି ଉଠାଇଥିଲା।

ତେବେ ଆଲୋଚନା ସମୟରେ ସତୀଶନ୍‌ ନିଜ ପୂର୍ବ ମନ୍ତବ୍ୟରେ ଅଟଳ ରହିଥିବା ଜଣାପଡ଼ିଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ଅଧିକାରିକ ପ୍ରତିକ୍ରିୟା ଦିଆଯାଇନାହିଁ।

କାନ୍ଥାପୁରମ୍‌ଙ୍କ ସମର୍ଥନରେ ଧର୍ମୀୟ ସଂଗଠନ

ସମସ୍ଥା କେରଳ ଜମିୟାତୁଲ ଉଲେମାର ସଭାପତି ଜିଫ୍ରି ମୁଥୁକୋୟା ଥଙ୍ଗଲ୍‌ କହିଛନ୍ତି ଯେ ଧର୍ମୀୟ ବିଷୟରେ ମତ ରଖୁଥିବା ଧର୍ମପଣ୍ଡିତଙ୍କୁ ହେୟଜ୍ଞାନ କରିବା ଉଚିତ ନୁହେଁ।

ସଂଗଠନର ଅନ୍ୟ ନେତା ନାସର ଫୈଜି କୁଦାଥାଇ ମଧ୍ୟ କାନ୍ଥାପୁରମ୍‌ଙ୍କ ମନ୍ତବ୍ୟକୁ ସମର୍ଥନ କରିଛନ୍ତି। ତାଙ୍କ କଥାର ଭୁଲ୍‌ ଅର୍ଥ କରାଯାଇଥିବା ଦାବି କରି ସେ କହିଛନ୍ତି ଯେ ମହିଳାଙ୍କୁ ଘରେ ବନ୍ଦ ରଖିବା ନୁହେଁ, ବରଂ ସେମାନଙ୍କ ସୁରକ୍ଷା ଓ ଧର୍ମୀୟ ନିୟମ ପାଳନ ଉପରେ କାନ୍ଥାପୁରମ୍‌ ଗୁରୁତ୍ୱ ଦେଇଥିଲେ।

ଏହି ପ୍ରସଙ୍ଗରେ ସୁନ୍ନି ଷ୍ଟୁଡେଣ୍ଟସ୍‌ ଫେଡେରେସନ୍‌ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛି।

ରାଜନୈତିକ ବୟାନବାଜି ତୀବ୍ର

ସିପିଆଇ(ଏମ୍‌) ସାଧାରଣ ସମ୍ପାଦକ ଏମ୍‌ଏ ବେବି କାନ୍ଥାପୁରମ୍‌ଙ୍କ ମନ୍ତବ୍ୟକୁ ଲିଙ୍ଗ ସମାନତା ପ୍ରତି ଅନିଚ୍ଛାର ପ୍ରତିଫଳନ ବୋଲି କହିଛନ୍ତି। ଅନ୍ୟପକ୍ଷରେ ବିଜେପି କେରଳ ସଭାପତି ରାଜୀବ ଚନ୍ଦ୍ରଶେଖର ମଧ୍ୟ ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ନେତୃତ୍ୱାଧୀନ ସରକାର ଓ ଇଣ୍ଡିଆନ୍‌ ୟୁନିଅନ୍‌ ମୁସଲିମ୍‌ ଲିଗ୍‌କୁ ସମାଲୋଚନା କରିଛନ୍ତି।