ନୂଆଦିଲ୍ଲୀ: ଆଇନ ଛାତ୍ରଛାତ୍ରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାର ଆଇନଗତ କ୍ଷମତା ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ (ବିସିଆଇ) କିମ୍ବା ରାଜ୍ୟ ବାର୍ କାଉନ୍ସିଲ୍ଗୁଡ଼ିକର ନାହିଁ। ନାଲସାର ବିଶ୍ୱବିଦ୍ୟାଳୟ ମାମଲାର ଶୁଣାଣି କରି ଗୁରୁବାର ଏହା ସ୍ପଷ୍ଟ କରିଛନ୍ତି ସୁପ୍ରିମ୍କୋର୍ଟ।
ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ବିଚାରପତି ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ।
ନାଲସାର ଛାତ୍ରଙ୍କୁ ନେଇ କ’ଣ ଥିଲା ବିବାଦ?
ହାଇଦ୍ରାବାଦସ୍ଥିତ ନାଲସାର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଯୋଗଦେବା ପ୍ରସ୍ତାବକୁ କିଛି ଛାତ୍ରଛାତ୍ରୀ ବିରୋଧ କରିବା ପରେ ଘଟଣାଟି ବିବାଦୀୟ ହୋଇଥିଲା।
ଏହାପରେ ଅଗଷ୍ଟ ୧୩ ତାରିଖରେ ବିସିଆଇ ନାଲସାର ୨୦୨୬ ବ୍ୟାଚ୍ର ଆଇନ ସ୍ନାତକମାନଙ୍କ ନାମ ପଞ୍ଜୀକରଣ ନ କରିବାକୁ ରାଜ୍ୟ ବାର୍ କାଉନ୍ସିଲ୍ଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲା। ଏହି ନିଷ୍ପତ୍ତିକୁ ନେଇ ବ୍ୟାପକ ପ୍ରତିବାଦ ହେବା ପରେ କିଛି ଘଣ୍ଟା ମଧ୍ୟରେ ବିସିଆଇ ନିର୍ଦ୍ଦେଶ ପ୍ରତ୍ୟାହାର କରିଥିଲା। ବିସିଆଇ ଅଧ୍ୟକ୍ଷ ମନନ କୁମାର ମିଶ୍ର ମଧ୍ୟ ଛାତ୍ରଛାତ୍ରୀଙ୍କୁ କ୍ଷମା ମାଗିଥିଲେ।
ବିସିଆଇର ଦୁଇ ନୋଟିସ୍ ରଦ୍ଦ
ଏହି ମାମଲାରେ ବିସିଆଇ ପକ୍ଷରୁ ଜାରି ଦୁଇଟି ନୋଟିସ୍କୁ ସୁପ୍ରିମ୍କୋର୍ଟ ରଦ୍ଦ କରିଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ ଆଡ୍ଭୋକେଟ୍ସ ଆକ୍ଟ, ୧୯୬୧ ଅନୁଯାୟୀ ଆଇନ ଛାତ୍ରଙ୍କ ବିରୋଧରେ ଶୃଙ୍ଖଳାଗତ ପଦକ୍ଷେପ ନେବାର କ୍ଷମତା ବିସିଆଇ କିମ୍ବା ରାଜ୍ୟ ବାର୍ କାଉନ୍ସିଲ୍କୁ ଦିଆଯାଇନାହିଁ।
କୋର୍ଟଙ୍କ ଅନୁସାରେ, ଜଣେ ଆଇନ ସ୍ନାତକ ଆଡ୍ଭୋକେଟ୍ ଭାବେ ପଞ୍ଜୀକୃତ ହେବା ପରେ ହିଁ ବାର୍ କାଉନ୍ସିଲ୍ର ଶୃଙ୍ଖଳାଗତ ଅଧିକାର ଲାଗୁ ହୁଏ। ତେଣୁ ଛାତ୍ରାବସ୍ଥାରେ ଥିବା ଆଇନ ଛାତ୍ରଙ୍କ ବିରୋଧରେ ବାର୍ କାଉନ୍ସିଲ୍ ଶୃଙ୍ଖଳାଗତ ପଦକ୍ଷେପ ନେଇପାରିବ ନାହିଁ।
ଶିକ୍ଷାନୁଷ୍ଠାନର ନିୟମ ଅନୁଯାୟୀ ହେବ କାର୍ଯ୍ୟାନୁଷ୍ଠାନ
ସୁପ୍ରିମ୍କୋର୍ଟ କହିଛନ୍ତି, ଆଇନ ଛାତ୍ରଙ୍କ ବିରୋଧରେ ଶୃଙ୍ଖଳାଗତ ପଦକ୍ଷେପ ନେବାର ଅଧିକାର ସମ୍ପୃକ୍ତ ଶିକ୍ଷାନୁଷ୍ଠାନ କିମ୍ବା ତାହାର ନିୟମ ଅନୁସାରେ ନିର୍ଦ୍ଦିଷ୍ଟ କର୍ତ୍ତୃପକ୍ଷଙ୍କର ରହିଛି।
ନାଲସାର ଘଟଣାରେ ବିସିଆଇର ହସ୍ତକ୍ଷେପକୁ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ପୂର୍ବରୁ ମଧ୍ୟ ଅନାବଶ୍ୟକ ବୋଲି ମତ ଦେଇଥିଲେ।




