କେନ୍ଦୁଝର: ବିଦ୍ୟୁତ୍‌ ଟ୍ରାନ୍‌ସଫର୍ମର ଚୋରି କରୁଥିବା ଏକ ବଡ଼ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ କରିଛି କେନ୍ଦୁଝର ଟାଉନ ଥାନା ପୁଲିସ। ଗ୍ୟାଙ୍ଗ୍‌ର ୧୬ ଜଣ ସଦସ୍ୟଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ବିପୁଳ ପରିମାଣର ବିଦ୍ୟୁତ୍‌ ସାମଗ୍ରୀ, ନଗଦ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି।

କେବଳ କେନ୍ଦୁଝର ନୁହେଁ, ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ ପଡ଼ୋଶୀ ରାଜ୍ୟରେ ମଧ୍ୟ ଏହି ଗ୍ୟାଙ୍ଗ୍‌ ଶତାଧିକ ବିଦ୍ୟୁତ୍‌ ଟ୍ରାନ୍‌ସଫର୍ମର ଚୋରି କରିଥିବା ପୁଲିସ ଜାଣିବାକୁ ପାଇଛି। ଗୁରୁବାର କେନ୍ଦୁଝର ପୁଲିସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି।

୬ କ୍ୱିଣ୍ଟାଲରୁ ଅଧିକ ତମ୍ବା, ଆଲୁମିନିୟମ୍‌ ତାର ଜବତ

ଗିରଫ ଅଭିଯୁକ୍ତଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଜବତ ହୋଇଛି। ଏଥିରେ ଦୁଇଟି କାର୍‌, ୫୦ ଗ୍ରାମ ସୁନା, ୬ କ୍ୱିଣ୍ଟାଲରୁ ଅଧିକ ତମ୍ବା ଓ ଆଲୁମିନିୟମ୍‌ ତାର, ୧.୫ ଲକ୍ଷ ଟଙ୍କା ନଗଦ ଏବଂ ୧୫ଟି ମୋବାଇଲ୍‌ ଫୋନ୍‌ ରହିଛି।

୧୦୦ରୁ ଅଧିକ ଥାନାରେ ଶତାଧିକ ମାମଲା

ପୁଲିସର ସୂଚନା ଅନୁଯାୟୀ, ଗ୍ୟାଙ୍ଗ୍‌ ବିରୋଧରେ ରାଜ୍ୟର ୫ଟି ଜିଲ୍ଲାର ୧୦୦ରୁ ଅଧିକ ଥାନାରେ ଶତାଧିକ ମାମଲା ରହିଛି। କେନ୍ଦୁଝର ଜିଲ୍ଲାର ପ୍ରାୟ ୨୦ଟି ସ୍ଥାନ ସମେତ ମୋଟ ୧୪୦ଟିରୁ ଅଧିକ ସ୍ଥାନରେ ଏହି ଗ୍ୟାଙ୍ଗ୍‌ ଚୋରି କରିଥିବା ଜଣାପଡ଼ିଛି। ପଡ଼ୋଶୀ ରାଜ୍ୟଗୁଡ଼ିକରେ ମଧ୍ୟ ଗ୍ୟାଙ୍ଗ୍‌ର ସଦସ୍ୟଙ୍କ ନାମରେ ଏକାଧିକ ମାମଲା ଥିବା ପୁଲିସ କହିଛି।

ଦୀର୍ଘଦିନ ନଜର ପରେ ଧରିଲା ପୁଲିସ

ଟ୍ରାନ୍‌ସଫର୍ମର ଚୋରି ଘଟଣାର ତଦନ୍ତ କରି କେନ୍ଦୁଝର ଟାଉନ ଥାନା ପୁଲିସ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲା। ଦୀର୍ଘଦିନ ଧରି ଗ୍ୟାଙ୍ଗ୍‌ର ଗତିବିଧି ଉପରେ ନଜର ରଖିବା ପରେ ଶେଷରେ ଅଭିଯୁକ୍ତମାନଙ୍କୁ ଧରିବାରେ ପୁଲିସ ସଫଳ ହୋଇଛି। ଗ୍ୟାଙ୍ଗ୍‌ର ଚୋରି ନେଟୱର୍କ ଓ ଅନ୍ୟ ମାମଲା ସମ୍ପର୍କରେ ତଦନ୍ତ ଜାରି ରହିଛି।