ବାରିପଦା: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଞ୍ଚଳର ବୁଢ଼ାବଳଙ୍ଗ ନଦୀରୁ ବେଆଇନ ବାଲି ଉତ୍ତୋଳନ ଓ ଚୋରାଚାଲାଣ ଅଭିଯୋଗକୁ ନେଇ ମାମଲା ଏବେ ଓଡ଼ିଶା ହାଇକୋର୍ଟରେ ପହଞ୍ଚିଛି। ପୁଲିସ ଓ ପ୍ରଶାସନ ପକ୍ଷରୁ ଅଭିଯୁକ୍ତଙ୍କ ବିରୋଧରେ ଆଶାନୁରୂପ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ କରି ଦୁଲାରାମ ମୁର୍ମୁ ହାଇକୋର୍ଟରେ ଏକ ଫୌଜଦାରୀ ମାମଲା ଦାୟର କରିଛନ୍ତି।
ପାଇକପଡ଼ା ବାଲିଘାଟକୁ ନେଇ ଅଭିଯୋଗ
ଆବେଦନରେ ଦୁଲାରାମ ଦର୍ଶାଇଛନ୍ତି ଯେ, ଜୁଲାଇ ୧୩ ତାରିଖରେ ବଡ଼ସାହି ଥାନା ଅଧୀନ ପାଇକପଡ଼ା ବାଲିଘାଟରୁ ବେଆଇନ ଭାବେ ବାଲି ଉତ୍ତୋଳନ ହେଉଥିବା ନେଇ ସେ ଜିଲ୍ଲା ଖଣି ଅଧିକାରୀଙ୍କୁ ଜଣାଇଥିଲେ।
ଅଭିଯୋଗ ଅନୁସାରେ, ଖଣି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ବାଲି ଚୋରାଚାଲାଣରେ ସମ୍ପୃକ୍ତ ଲୋକଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବା ବଦଳରେ ଜରିମାନା ଆଳରେ ଗାଡ଼ି ଛାଡ଼ି ଦିଆଯାଇଥିବା ଦୁଲାରାମ ଅଭିଯୋଗ କରିଛନ୍ତି।
ଏହା ସହ ତାଙ୍କୁ ଜାତିଗତ ଆକ୍ଷେପ, ଗାଳିଗୁଲଜ ଏବଂ ଜୀବନରୁ ମାରିଦେବାର ଧମକ ଦିଆଯାଇଥିବା ମଧ୍ୟ ଆବେଦନରେ ଉଲ୍ଲେଖ ରହିଛି।
ଥାନାରେ ମାମଲା ପରେ ବି କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶ୍ନ
ଘଟଣାକୁ ନେଇ ଜୁଲାଇ ୧୫ରେ ବଡ଼ସାହି ଥାନାରେ ଏତଲା ଦିଆଯାଇଥିଲା। ଏହାକୁ ଆଧାର କରି ପୁଲିସ କେସ୍ ନମ୍ବର ୩୧୨/୨୦୨୬ରେ ମାମଲା ରୁଜୁ କରିଥିଲା।
ତେବେ ପୁଲିସ ମାମଲାରେ ସଙ୍ଗଠିତ ଅପରାଧ ଏବଂ ଖଣି ଓ ଖଣିଜ ଦ୍ରବ୍ୟ ଆଇନ (MMDR Act) ଅନୁଯାୟୀ ଆବଶ୍ୟକ କଡ଼ା ଦଫା ଲଗାଇନଥିବା ଦୁଲାରାମ ଅଭିଯୋଗ କରିଛନ୍ତି। ଅଭିଯୁକ୍ତମାନେ ପ୍ରଭାବଶାଳୀ ହୋଇଥିବାରୁ ସେମାନଙ୍କ ବିରୋଧରେ ଠୋସ୍ ପଦକ୍ଷେପ ନିଆଯାଉନଥିବା ଏବଂ ମାମଲା ପ୍ରତ୍ୟାହାର ପାଇଁ ତାଙ୍କ ପରିବାରକୁ ଧମକ ଦିଆଯାଉଥିବା ସେ ଦାବି କରିଛନ୍ତି।
କ୍ରାଇମବ୍ରାଞ୍ଚ କିମ୍ବା EOW ତଦନ୍ତ ଦାବି
ଏହି ମାମଲାରେ ମୟୂରଭଞ୍ଜ ଏସ୍ପି ଓ ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଲିଖିତ ଅଭିଯୋଗ ଦିଆଯାଇଥିବା ଆବେଦନରେ କୁହାଯାଇଛି। ଏହା ସତ୍ତ୍ୱେ ପ୍ରଶାସନ ପକ୍ଷରୁ ଆଶାନୁରୂପ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ରହିଛି।
ଅଭିଯୁକ୍ତମାନଙ୍କ ଅଗ୍ରୀମ ଜାମିନ ଆବେଦନ ଖାରଜ ହୋଇଥିଲେ ମଧ୍ୟ ସେମାନଙ୍କୁ ଗିରଫ କରାଯାଇନଥିବା ଦୁଲାରାମ ଦାବି କରିଛନ୍ତି।
ବେଆଇନ ବାଲି କାରବାରରେ ୧ କୋଟି ଟଙ୍କାରୁ ଅଧିକ ଅର୍ଥର ଦୁର୍ନୀତି ହୋଇଥିବା ଅଭିଯୋଗ କରି ସ୍ଥାନୀୟ ପୁଲିସ ବଦଳରେ କ୍ରାଇମବ୍ରାଞ୍ଚ କିମ୍ବା ଅର୍ଥନୈତିକ ଅପରାଧ ଶାଖା (EOW) ଦ୍ୱାରା ନିରପେକ୍ଷ ତଦନ୍ତ କରାଇବାକୁ ହାଇକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ାଯାଇଛି। ଆଇନଜୀବୀ ଶିବାନୀ ସମର୍ପିତା ଓଝାଙ୍କ ଜରିଆରେ ଏହି ଆବେଦନ ଦାୟର ହୋଇଥିବା ଜଣାପଡ଼ିଛି।




