ଅଯୋଧ୍ୟା: ରାମ ମନ୍ଦିର ପରିଚାଳନାର ଦାୟିତ୍ୱ ନେବା ପରେ ଭକ୍ତଙ୍କ ସହଯୋଗ ଓ ଆଶୀର୍ବାଦ ଲୋଡ଼ିଛନ୍ତି ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପ୍ରଥମ CEO ଏୟାର ମାର୍ଶାଲ୍‌ (ଅବସରପ୍ରାପ୍ତ) ଜିତେନ୍ଦ୍ର ମିଶ୍ର। ଟ୍ରଷ୍ଟର ନୂଆ ରଣନୀତିର ପ୍ରଭାବ ଖୁବଶୀଘ୍ର ଭୂମିସ୍ତରରେ ଦେଖିବାକୁ ମିଳିବ ବୋଲି ସେ କହିଛନ୍ତି।

ଶୁକ୍ରବାର ଅଯୋଧ୍ୟାରେ ଟ୍ରଷ୍ଟର ସଦସ୍ୟମାନଙ୍କ ସହ ପ୍ରଥମ ବୈଠକ ପରେ ସାମ୍ବାଦିକଙ୍କୁ ମିଶ୍ର କହିଥିଲେ ଯେ, ସେ ବର୍ତ୍ତମାନ ମନ୍ଦିରର ପ୍ରଶାସନିକ ବ୍ୟବସ୍ଥା ଓ ସମଗ୍ର କାର୍ଯ୍ୟପ୍ରଣାଳୀକୁ ବୁଝୁଛନ୍ତି। ଏହା ପରେ ଟ୍ରଷ୍ଟର ମାର୍ଗଦର୍ଶନ ଅନୁଯାୟୀ ଆଗାମୀ ଯୋଜନାକୁ କାର୍ଯ୍ୟକାରୀ କରାଯିବ।

‘କିଛି ସମୟ ଦିଅନ୍ତୁ’

ଭକ୍ତଙ୍କୁ ଉଦ୍ଦେଶ୍ୟ କରି ମିଶ୍ର କହିଛନ୍ତି, ଟ୍ରଷ୍ଟ ଉପରେ ବିଶ୍ୱାସ ରଖିବା ସହ ରାମଭକ୍ତଙ୍କ ଆଶୀର୍ବାଦ ଜାରି ରହିବା ଆବଶ୍ୟକ। ତାଙ୍କୁ କିଛି ସମୟ ଦେବାକୁ ସେ ଅନୁରୋଧ କରିଛନ୍ତି।

ମିଶ୍ରଙ୍କ କହିବା ଅନୁସାରେ, ଆଗାମୀ ଦିନରେ ଟ୍ରଷ୍ଟର ରଣନୀତି ଓ କାର୍ଯ୍ୟଯୋଜନା ସ୍ପଷ୍ଟ ହେବ। ଯୋଜନା ପ୍ରସ୍ତୁତ ହେବା ପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ମଧ୍ୟ ଅବଗତ କରାଯିବ ବୋଲି ସେ କହିଛନ୍ତି।

ଭକ୍ତଙ୍କ ସୁବିଧା ଓ ସ୍ୱଚ୍ଛତା ଉପରେ ଗୁରୁତ୍ୱ

ବୈଠକରେ ମନ୍ଦିର ପରିଚାଳନା ସହିତ ବିଭିନ୍ନ ଅଂଶୀଦାରଙ୍କ ମଧ୍ୟରେ ସମନ୍ୱୟ, ପ୍ରଶାସନିକ ସ୍ୱଚ୍ଛତା ଏବଂ ଭକ୍ତଙ୍କ ପାଇଁ ସୁବିଧା ବୃଦ୍ଧି ନେଇ ଆଲୋଚନା ହୋଇଥିଲା। ଏହା ସହ ଭକ୍ତଙ୍କ ସୁରକ୍ଷା ଓ ଆଗାମୀ ପର୍ବପର୍ବାଣୀ ପାଇଁ ପ୍ରସ୍ତୁତି ମଧ୍ୟ ଆଲୋଚନାରେ ସ୍ଥାନ ପାଇଥିଲା।

୫,୫୮୫ ଆବେଦନରୁ ଚୟନ

ସୂଚନାଯୋଗ୍ୟ, ଚଳିତ ସପ୍ତାହରେ ଜିତେନ୍ଦ୍ର ମିଶ୍ରଙ୍କୁ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପ୍ରଥମ CEO ଭାବେ ନିଯୁକ୍ତ କରାଯାଇଥିଲା। ଏହି ପଦ ପାଇଁ ମିଳିଥିବା ୫,୫୮୫ଟି ଆବେଦନର ଯାଞ୍ଚ ପରେ ତିନିଜଣଙ୍କୁ ସର୍ଟଲିଷ୍ଟ କରାଯାଇଥିଲା ଏବଂ ସେଥିରୁ ମିଶ୍ରଙ୍କୁ ଚୟନ କରାଯାଇଥିଲା।

ଏହି ନିଯୁକ୍ତି ସହ ଟ୍ରଷ୍ଟର ପ୍ରଶାସନିକ ଢାଞ୍ଚାରେ ମଧ୍ୟ ବଡ଼ ପରିବର୍ତ୍ତନ ହୋଇଛି। ସ୍ୱାମୀ ଗୋବିନ୍ଦ ଦେବ ଗିରିଙ୍କୁ ନୂଆ ମହାସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ ମହେଶ ଭଗଚନ୍ଦକାଙ୍କୁ କୋଷାଧ୍ୟକ୍ଷ କରାଯାଇଛି।