ମସ୍କୋ/ନୂଆଦିଲ୍ଲୀ: କାର୍ଯ୍ୟ ଭିସାରେ ରୁଷ ଯାଇଥିବା ଜଣେ ଭାରତୀୟ ଇଞ୍ଜିନିୟରଙ୍କୁ ରୁଷ ପ୍ରଶାସନ ବେଆଇନ ଭାବେ ଅଟକ ରଖିଥିବା ଏବଂ ତାଙ୍କୁ ବଳପୂର୍ବକ ରୁଷ ସେନାରେ ଭର୍ତ୍ତି କରିବାକୁ ଯୋଜନା କରୁଥିବା ଅଭିଯୋଗ ହୋଇଛି। ଅଟକ ଇଞ୍ଜିନିୟର ଚନ୍ଦନ ଗୁପ୍ତାଙ୍କ ପତ୍ନୀ ସ୍ନେହା ଗୁପ୍ତା ଏକ ଭିଡିଓ ବାର୍ତ୍ତା ଜାରି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସାହାଯ୍ୟ ପାଇଁ ଆକୁଳ ନିବେଦନ କରିଛନ୍ତି।
ଉତ୍ତର ପ୍ରଦେଶ କାନପୁରର ବାସିନ୍ଦା ଚନ୍ଦନ ଗୁପ୍ତା ନୋଏଡା ସେକ୍ଟର ୬୨ ସ୍ଥିତ ‘ପଲିଫିଲ୍ମସ୍’ କମ୍ପାନୀ ମାଧ୍ୟମରେ ଉଚ୍ଚ ଯୋଗ୍ୟତା ସମ୍ପନ୍ନ କାର୍ଯ୍ୟ ଭିସାରେ ମସ୍କୋରେ କାର୍ଯ୍ୟରତ ଥିଲେ। ସ୍ନେହାଙ୍କ ଅଭିଯୋଗ ଅନୁସାରେ, ଗୋଟିଏ ରାତି ପ୍ରାୟ ସାଢ଼େ ୧୨ଟା ସମୟରେ ରୁଷ ପୁଲିସ କୌଣସି କାରଣ ନଦର୍ଶାଇ ଚନ୍ଦନଙ୍କୁ ଉଠାଇ ନେଇଯାଇଥିଲା ଏବଂ ସେବେଠାରୁ ତାଙ୍କୁ ଅଟକ ରଖାଯାଇଛି। ରୁଷ ସେନାରେ ସୈନ୍ୟ ଅଭାବ ଥିବାରୁ ସେଠାକାର ପ୍ରଶାସନ ବିଦେଶୀ ନାଗରିକମାନଙ୍କୁ ବଳପୂର୍ବକ ଯୁଦ୍ଧ କ୍ଷେତ୍ରକୁ ପଠାଉଥିବା ସେ ଦାବି କରିଛନ୍ତି।
ସ୍ନେହା ତାଙ୍କ ୧୦ ବର୍ଷର ପୁଅ ସହ ମସ୍କୋରେ ରହୁଥିବା ବେଳେ ରୁଷିଆନ୍ ଭାଷା ଜାଣି ନଥିବାରୁ ଅତ୍ୟନ୍ତ ଅସହାୟ ହୋଇପଡ଼ିଛନ୍ତି। ରୁଷରେ ଥିବା ଭାରତୀୟ ଦୂତାବାସ ନିରନ୍ତର ଯୋଗାଯୋଗରେ ଥାଇ କେବଳ ପ୍ରତିଶ୍ରୁତି ଦେଉଛି, କିନ୍ତୁ କୌଣସି ପ୍ରତ୍ୟକ୍ଷ ସହାୟତା କିମ୍ବା ଠୋସ୍ ସୂଚନା ଯୋଗାଉ ନଥିବା ସେ କହିଛନ୍ତି।
ଆକୁଳ ନିବେଦନ କରି ସ୍ନେହା ପ୍ରଶ୍ନ କରିଛନ୍ତି, “କେଉଁ ଆଧାରରେ ଭାରତୀୟମାନଙ୍କୁ ଅନ୍ୟ ଦେଶକୁ କାମ କରିବାକୁ ପଠାଯାଉଛି, ଯେଉଁଠି ସେମାନେ ଓ ସେମାନଙ୍କ ପରିବାର ଏପରି କଷ୍ଟ ପାଉଛନ୍ତି? ଦୂତାବାସ ପ୍ରକୃତରେ କ’ଣ କରୁଛି?” ସ୍ୱାମୀଙ୍କୁ ସୁରକ୍ଷିତ ମୁକ୍ତ କରିବା ପାଇଁ ସେ ଏହି ଭିଡିଓକୁ ଯଥାସମ୍ଭବ ସେୟାର କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।




