ଭୁବନେଶ୍ୱର: ରବିବାର ଦିନ ଏକ ସାଧାରଣ ଯାତ୍ରୀବାହୀ ଟ୍ରେନ୍ କିଛି ଘଣ୍ଟା ପାଇଁ ପାଲଟିଯାଇଥିଲା ଚଳନ୍ତି ପାଠାଗାର, କବିତା ପାଠର ମଞ୍ଚ ଓ ପୁସ୍ତକ ପ୍ରେମୀଙ୍କ ମିଳନସ୍ଥଳ। ପାଠକ, ଲେଖକ ଓ ସାହିତ୍ୟ ପ୍ରେମୀମାନେ ମିଶି ଏକ ସାଧାରଣ ରେଳ ଯାତ୍ରାକୁ ଅସାଧାରଣ ସାହିତ୍ୟ ଉତ୍ସବରେ ପରିଣତ କରିଥିଲେ।
ପୂର୍ବତଟ ରେଳପଥ (ECoR) ଏବଂ ଭୁବନେଶ୍ୱରର ‘ୱାକିଂ ବୁକ୍ ଫେୟାର୍ସ’ର ମିଳିତ ଆନୁକୂଲ୍ୟରେ ଆୟୋଜିତ “ଗିଫ୍ଟ ଏ ବୁକ୍” ରେଳ ପାଠୋତ୍ସବ ଅଭିଯାନରେ ପ୍ରାୟ ୧୦୦ ଜଣ ପ୍ରତିଯୋଗୀ ନଂ. ୬୮୪୨୯ ଭୁବନେଶ୍ୱର-ଦଶପ his MEMU ଟ୍ରେନ୍ରେ ଯାତ୍ରା କରିଥିଲେ। ସାହିତ୍ୟ ଏବଂ ଭ୍ରମଣକୁ ଏକାଠି ଯୋଡ଼ି ଘର, ପାଠାଗାର କିମ୍ବା ଶ୍ରେଣୀଗୃହର ସୀମା ବାହାରେ ପୁସ୍ତକ ପଢ଼ାର ଆନନ୍ଦକୁ ପୁନର୍ବାର ଅନୁଭବ କରିବା ପାଇଁ ଏହି ଅଭିନବ ପ୍ରୟାସ କରାଯାଇଥିଲା।
ଟ୍ରେନ୍ଟି ଭୁବନେଶ୍ୱର ଷ୍ଟେସନ ଛାଡ଼ିବାର କିଛି ସମୟ ମଧ୍ୟରେ ଯାତ୍ରୀମାନଙ୍କ ମଧ୍ୟରେ ପ୍ରାୟ ୨୦୦ଟି ବହି ମାଗଣାରେ ବଣ୍ଟନ କରାଯାଇଥିଲା। ବହି ପଢ଼ିବା ସହ କାହାଣୀ ମାଧ୍ୟମରେ ପରସ୍ପର ସହ ଯୋଡ଼ିହେବାକୁ ଯାତ୍ରୀମାନଙ୍କୁ ଆହ୍ୱାନ ଦିଆଯାଇଥିଲା। ଏହି ଯାତ୍ରାରେ ବିଶିଷ୍ଟ ଲେଖକ ଜେରୀ ପିଣ୍ଟୋ, ଶରତ ଚନ୍ଦ୍ର ଦାସ, ଖ୍ରୀଷ୍ଟୋଫ୍ ରାନସମାୟର, ଆକୃତି ମାନ୍ଧୱାନୀ ଏବଂ ଚନ୍ଦ୍ରହାସ ଚୌଧୁରୀ ପ୍ରମୁଖ ଯୋଗଦେଇ ଯାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ସେମାନେ ନିଜର କବିତା, ଭାବନା ଏବଂ ସାହିତ୍ୟ ଓ ଜୀବନ ସମ୍ପର୍କିତ ଅନୁଭୂତି ସେୟାର କରିଥିଲେ।
ଦେଖୁ ଦେଖୁ ଟ୍ରେନ୍ ବଗିଟି ଏକ ଜୀବନ୍ତ ସାହିତ୍ୟିକ ପରିବେଶରେ ପରିଣତ ହୋଇଥିଲା। ଯାତ୍ରୀମାନେ ନୀରବ ପାଠ ପର୍ଯ୍ୟାୟ, ସାହିତ୍ୟ ଚର୍ଚ୍ଚା, ସଙ୍ଗୀତ ଏବଂ କବିତା ଆବୃତ୍ତିରେ ଅଂଶଗ୍ରହଣ କରିଥିଲେ।
ଦଶପଲ୍ଲା ଷ୍ଟେସନରେ ପହଞ୍ଚିବା ପରେ “ପ୍ଲାଟଫର୍ମରେ କବିତା” କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯେଉଁଥିରେ ଲେଖକ ଓ ପାଠକମାନେ ନିଜ ନିଜର ସାହିତ୍ୟିକ ସୃଜନଶୀଳତା ପ୍ରଦର୍ଶନ କରିଥିଲେ। ଫେରନ୍ତା ଯାତ୍ରା ସମୟରେ ଓଡ଼ିଆ ସ୍ୱାଦିଷ୍ଟ ‘ମୁଢ଼ି ମସଲା’ ଆସ୍ୱାଦନ ସହ ଏହି ଆଲୋଚନା ଆଗକୁ ବଢ଼ିଥିଲା।
ପୂର୍ବତଟ ରେଳପଥର ଜେନେରାଲ ମ୍ୟାନେଜର ପରମେଶ୍ୱର ଫୁଙ୍କୱାଲ ଏହି ଅଭିଯାନକୁ ଉଦ୍ଘାଟନ କରିବା ସହ ନିଜେ ଏହି ସାହିତ୍ୟିକ ଯାତ୍ରାରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମ ରେଳବାଇକୁ କେବଳ ଗନ୍ତବ୍ୟ ସ୍ଥଳର ସଂଯୋଜକ ନୁହେଁ, ବରଂ ମଣିଷ ଓ ବହି ମଧ୍ୟରେ ଏକ ସେତୁ ଭାବେ ଗଢ଼ିତୋଳିଥିଲା।




